କେଜ୍ରିଵାଲଙ୍କୁ ସୁପ୍ରିମକୋର୍ଟ ଝଟକା: ଉପରାଜ୍ୟପାଳ ହିଁ ବସ୍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ଆପ୍ ସରକାର ଦିଲ୍ଲୀ ଶାସନଭାର ସମ୍ଭାଳିବା ଦିନ ଠାରୁ କ୍ଷମତାର ଉପଯୋଗ ନେଇ ସବୁବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଉପରାଜ୍ୟପାଳଙ୍କ ସହ ମତଭେଦ ଦେଖାଦେବା ସହ ମୁହାଁମୁହିଁ ପରିସ୍ଥିତି ଉପୁଜି ଆସିଛି। ଏପରି କ୍ଷମତା କନ୍ଦଳ ପରିପ୍ରେକ୍ଷୀରେ ୬ଟି ବିଭିନ୍ନ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଗୁରୁବାର ଦେଇଥିବା ରାୟ କେଜ୍ରିଵାଲଙ୍କୁ ନିରାଶ କରିଛି। ଜଷ୍ଟିସ ଏକେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିଵାଲଙ୍କ ସରକାରକୁ କେବଳ ବିଦ୍ୟୁତ୍ ଏବଂ ରାଜସ୍ବ ବିଭାଗ ସମେତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ କ୍ଷମତା ଜାହିର କରିବାକୁ ସମ୍ମତ ହୋଇଛନ୍ତି। ସେହିପରି କୌଣସି ତଦନ୍ତ କମିସନ୍ ଗଠନ ଏବଂ ଦୁର୍ନୀତି ନିରୋଧ ବ୍ୟୁରୋ(ଏସିବି)ର ନିୟନ୍ତ୍ରଣ ପରି ଗୁରୁତ୍ବପୂର୍ଣ୍ଣ କ୍ଷମତା ଉପରାଜ୍ୟପାଳଙ୍କ ହାତରେ ରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିବା ସହ ଉପରାଜ୍ୟପାଳ ହିଁ ପ୍ରକୃତ ବସ୍ ବୋଲି ପରୋକ୍ଷ ବାର୍ତ୍ତା ଦେଇଛନ୍ତି। ଅପରପକ୍ଷେ, ବିଭିନ୍ନ ପ୍ରାଶାସନିକଙ୍କ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପରି ସେବା ନିୟନ୍ତ୍ରଣ କ୍ଷମତା ସମ୍ପର୍କରେ ଖଣ୍ଠପୀଠରେ ମତଭେଦ ଦେଖାଦେଇଥିଲା। କେବଳ ଯୁଗ୍ମ ସଚିବ ପଦବିରୁ ଉଚ୍ଚତର ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା କେନ୍ଦ୍ର ପାଖରେ ନ୍ୟସ୍ତ ରଖିବାକୁ ବିଚାରପତି ସିକ୍ରି ମତ ରଖିଥିବା ବେଳେ ସବୁ ବର୍ଗର ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଦିଲ୍ଲୀ ସରକାରଙ୍କ କ୍ଷମତା ବାହାରେ ବୋଲି ବିଚାରପତି ଅଷୋକ ଭୂଷଣ ଟିପ୍ପଣୀ କରିଥିଲେ। ସୁତରାଂ ଏକ ବୃହତ୍ତର ଖଣ୍ଡପୀଠ ଏହି ମାମଲାର ବିଚାର କରିବ ବୋଲି ଅଦାଲତଙ୍କ ଏହି ଦୁଇଜଣିଆ ଖଣ୍ଡପୀଠ ଆଜି ସୂଚନା ଦେଇଛନ୍ତି। ଆଜିର ରାୟ ପରେ ଶ୍ରୀ କେଜ୍ରିଵାଲ୍ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିବା ସହ ବିନା କ୍ଷମତାରେ ତାଙ୍କ ସରକାର କେମିତି ଶାସନ ଚଳାଇବେ ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ଏଭଳି ଦ୍ବନ୍ଦ୍ବାତ୍ମକ ଶାସନରୁ ମୁକ୍ତି ଉଦ୍ଦେଶ୍ୟରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଁ ସେ ପୁରୁଣା ଦାବି ଦୋହରାଇଛନ୍ତି। ତେବେ ଏହି ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବା ସକାଶେ ଦିଲ୍ଲୀବାସୀ ତାଙ୍କୁ ୭ଟି ଯାକ ଲୋକସଭା ଆସନରେ ବିଜୟୀ କରିବା ଲାଗି ସେ ଲୋକଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର