କୋଭିଡ୍‌ ଲକ୍ଷଣ ଦେଖାଦେଲେ ମାଓବାଦୀଙ୍କୁ ସଂଗଠନରୁ ବହିଷ୍କାର କରାଯାଉଛି

ରାୟପୁର: ମାଓ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ମାଓବାଦୀମାନେ ଲକ୍‌ଡାଉନ୍‌ ସମୟରେ ଡାକ୍ତର ଏବଂ ପାରାମେଡିକ୍ସଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଡାକ୍ତରଙ୍କ ଯାତାୟତରେ ରୋକ୍‌ ଲଗାଇବାପାଇଁ ମାଓବାଦୀମାନେ ବ୍ରିଜ୍‌ ଜାଳି ଦେଉଛନ୍ତି ଏବଂ ରାସ୍ତା ନଷ୍ଟ କରିଦେଉଛନ୍ତି। ଏବେ ପୁଣି ଆଉ ଏକ ଖବର ମିଳିଛି ଯେ, ମାଓବାଦୀ ଗୋଷ୍ଠୀରୁ ଯଦି ଜଣେ କେହି ସଦସ୍ୟ କରୋନା ସଂକ୍ରମିତ ହେଉଛନ୍ତି କିମ୍ବା କରୋନା ଲକ୍ଷଣ ଦେଖିବାକୁ ମିଳୁଛି ତେବେ ତାଙ୍କୁ ଗୋଷ୍ଠୀରୁ ବହିଷ୍କାର କରାଯାଉଛି।

ମାଓବାଦୀ କମାଣ୍ଡର ସୁମିତ୍ରା ଛେପାଠାରେ ନିକଟରେ କରୋନା ଭାଇରସ୍‌ର ଲକ୍ଷଣ ଦେଖାଦେବାରୁ ତାକୁ ବାଟାଲିଅନ୍‌ରୁ ବହିଷ୍କାର କରାଯାଇଛି। ତାକୁ ମାଓ ଗୋଷ୍ଠୀ ବହିଷ୍କାର କରିବାପରେ ସେ ଜଙ୍ଗଲ ମଧ୍ୟରେ ଥିଲା। ତେବେ ଗୁଇନ୍ଦା ସୁତ୍ରରୁ ଖବର ପାଇ ବିଜାପୁର ପୁଲିସ ତାକୁ ଗିରଫ କରିଥିଲା। ପରେ ଛତିଶଗଡ଼ ପୁଲିସ ତାକୁ ହାଜତକୁ ନେଇଥିଲା। ଏବେ ସେ କ୍ବାରାଣ୍ଟିନ୍‌ରେ ଅଛି। ସୁମିତ୍ରାର କହିବା ଅନୁଯାୟୀ ଆହୁରି ଅନେକ ମାଓ ସଦସ୍ୟଙ୍କୁ ଜ୍ବର ଥଣ୍ଡା ହୋଇଛି। ତେବେ ବାଟାଲିଅନ୍‌ର ଶୀର୍ଷ ନେତୃବୃନ୍ଦ ସାମାନ୍ୟ ଜ୍ବର ଥଣ୍ଡା ହେଲେ ସଦସ୍ୟମାନଙ୍କୁ ବହିଷ୍କାର କରିଦେଉଛନ୍ତି। ଛତିଶଗଡ଼ ପୁଲିସ ଏନେଇ ନିକଟସ୍ଥ ଗ୍ରାମବାସୀଙ୍କୁ ସଚେତନ କରାଇଛି। ଯଦି କୌଣସି ମାଓବାଦୀ କରୋନା ସଂକ୍ରମିତ ଥିବା ଜଣାପଡ଼େ ତୁରନ୍ତ ଅବଗତ କରିବାପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର