ଖୁବ ଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ଦେବେନ୍ଦ୍ର ଫଡନବୀସ, ଆଜି ସଂଧ୍ୟାରେ ନେଇପାରନ୍ତି ଶପଥ

ମୁମ୍ବାଇ : ବୁଧବାରଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । ଏହା ପରେ ଆଜି ହିଁ ଫଡନବୀସ ଶପଥ ନେଇପାରନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟପାଳଙ୍କ ସହ ଏହି ସାକ୍ଷାତବେଳେ ଫଡନବୀସଙ୍କ ସହିତ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ରହିବେ । କିଛି ସମୟ ପୂର୍ବରୁ ଏକନାଥ ଗୋଆରୁ ଆସି ମୁମ୍ବାଇଠାରେ ଫଡନବୀସଙ୍କୁ ଭେଟିଥିଲେ ।

ଏକନାଥଙ୍କ ସହ ୩୯ ଶିବସେନା ବିଧାୟକଙ୍କ ସମର୍ଥନ ରହିଛି । ସେମାନେ ୧୦୪ ବିଧାୟକ ଥିବା ବିଜେପିକୁ ସମର୍ଥନ ଘୋଷଣା କରିସାରିଛନ୍ତି ।

ବୁଧବାର ରାତିରେ ଏକ ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା । ଉଦ୍ଧବଙ୍କ ଇସ୍ତଫା ପରେ ଗୁରୁବାର ହେବାକୁ ଥିବା ଆସ୍ଥାଭୋଟ ବାତିଲ ହୋଇଯାଇଛି ।  ଦେବେନ୍ଦ୍ରଙ୍କ ନେୃତ୍ବରେ ନୂଆ ସରକାର ଶପଥ ଗ୍ରହଣ ପରେ ରାଜ୍ୟପାଳ ତାଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ କହିପାରନ୍ତି ।

 

ସମ୍ବନ୍ଧିତ ଖବର