ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟିକଲା ବାଂଲାଦେଶ ସେନା

ନୂଆଦିଲ୍ଲୀ : ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ କିଛିଟା ସ୍ବତନ୍ତ୍ର ଥିଲା  । ଏଥର ବାଂଲାଦେଶ ସାମରିକ ବାହିନୀର ଏକ ୧୨୨ ଜଣିଆ ପରେଡ ଦଳ ଭାଗ ନେଇ ଇତିହାସ ସୃଷ୍ଟି କରିଛି । ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ଅବଦାନକୁ ସ୍ବୀକୃତି ଜଣାଇ ବାଂଲାଦେଶର ଏହି ଦଳ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିଲେ ।

ଏହି ପରେଡ ଦଳ ଏକ ମୁଜିବୁରରୁ ଲକ୍ଷ ମୁଜିବୁର ସଂଗୀତର ତାଳେ ତାଳେ ପରେଡ କରିଥିଲେ ।

ବାଂଲାଦେଶ ପରେଡ ଦଳର ନେତୃତ୍ବ ନେଇଥିଲେ ଲେପ୍ଟନାଣ୍ଟ କର୍ଣ୍ଣେଲ ଆବୁ ମହମ୍ମଦ ସାହାନୁର ସାଓନ ଓ ତାଙ୍କ ଡେପୁଟୀ ଲେପ୍ଟନାଣ୍ଟ ଫରହାନ ଇସରାକ ଓ ଫ୍ଲାଇଟ ଲେପ୍ଟନାଣ୍ଟ ସିଓ୍ବାନ ରେହମାନ । ଏହି ପରେଡ ଦଳରେ ବାଂଲାଦେଶ ସେନା, ନୌସେନା, ବାୟୁସେନାର ଯବାନମାନେ ରହିଥିଲେ । ବାଂଲାଦେଶ ସେନାର କେତେକ ସ୍ବତନ୍ତ୍ର ୟୁନିଟରୁ ବଛା ବଛା ଯବାନଙ୍କୁ ଏହି ପରେଡ ପାଇଁ ବଛାଯାଇଥିଲା । ଏହି ଯବାନମାନଙ୍କ ପୂର୍ବ ପୁରୁଷମାନେ ବାଂଲାଦେଶ ମୁକ୍ତିଯୁଦ୍ଧରେ ଅଂଶଗ୍ରହଣ କରି ପାକିସ୍ତାନର ଅତ୍ୟାଚାର ବିରୁଦ୍ଧରେ ଲଢିଥିଲେ ।

ଚଳିତ ବର୍ଷ ସ୍ବତନ୍ତ୍ର ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଏହା ସହିତ ଭାରତ-ବାଂଲାଦେଶ କୂଟନୈତିକ ସଂପର୍କର ମଧ୍ୟ ୫୦ ବର୍ଷ ପୂରଣ ହୋଇଛି । ଏ ଉପଲକ୍ଷେ ଉଭୟ ଦେଶ ମିଳିତଭାବେ କେତେକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହା ମଧ୍ୟ ଭାରତ ଓ ବାଂଲାଦେଶ ପ୍ରତିରକ୍ଷା ସହଯୋଗକୁ ଦର୍ଶାଉଛି ।

ସମ୍ବନ୍ଧିତ ଖବର