ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ, ମୋଦୀଙ୍କ କବଚ ଥିଲେ ଜେଟ୍‌ଲି

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଉ ନାହାନ୍ତି। ଜେଟ୍‌ଲି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଙ୍କଟମୋଚକ। ଜାତୀୟ ରାଜନୀତିରେ ସେ ମୋଦୀଙ୍କର ମାର୍ଗଦର୍ଶକ ମଧ୍ୟ ଥିଲେ। ମୋଦୀଙ୍କ ଗୁଜରାଟ ରାଜନୀତି ସମୟରୁ ହିଁ ଜେଟ୍‌ଲି ତାଙ୍କୁ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲେ। ନରେନ୍ଦ୍ର ମୋଦୀ ଗୁଜରାଟର ଶାସନ ଭାର ଗ୍ରହଣ କରିବାର ମାତ୍ର କିଛି ମାସ ପରେ ୨୦୦୨ରେ ଗୁଜରାଟରେ ଦଙ୍ଗା ହୋଇଥିଲା। ତେବେ ମୋଦୀଙ୍କୁ ଏଥିପାଇଁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦୀଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ। ଗୁଜରାଟରେ ଯେଉଁଭଳି ଦଙ୍ଗା ହୋଇଛି ସେଥି‌‌ରେ ସେ ଖୁବ୍‌ ଅସନ୍ତୁଷ୍ଟ ବୋଲି କହିଥିଲେ। ବାଜପେୟୀ ଏହି ସମୟରେ ମୋଦୀଙ୍କୁ କ୍ଷମତାରୁ ହଟାଇବାକୁ ଚାହିଥିଲେ। କିନ୍ତୁ ଜେଟ୍‌ଲି ହିଁ ବାଜପେୟୀଙ୍କୁ ବୁଝାଇଥିଲେ ଯେ ମୋଦୀଙ୍କୁ ହଟାଇଲେ ଏହା ବିଜେପିକୁ ବହୁତ କ୍ଷତି ପହଞ୍ଚାଇବ। ଜେଟ୍‌ଲିଙ୍କ କଥାରେ ମଧ୍ୟ ବାଜପେୟୀ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ।

ମୋଦୀ-ଜେଟ୍‌ଲି ସମ୍ପର୍କ ଏହିଠାରୁ ହିଁ ଘନିଷ୍ଠ ହେବା ଆରମ୍ଭ କରିଥିଲା। ୨୦୦୨ ଗୁଜରାଟ ନିର୍ବାଚନରେ ମୋଦୀ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ୨୦୦୭ ନିର୍ବାଚନ ମୋଦୀଙ୍କ ପାଇଁ ବହୁତ ବଡ଼ ଆହ୍ବାନ ଥିଲା। ଏହି ସମୟରେ ଅରୁଣ ଜେଟ୍‌ଲି ହିଁ ମୋଦୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ନିର୍ବାଚନ ରଣନୀତି ଯୋଜନା ସହ ଜେଟ୍‌ଲି ଅହମଦାବାଦ୍‌ରେ ପହଞ୍ଚିଥିଲେ। ୨୦୦୭ ନିର୍ବାଚନରେ ବ୍ରାଣ୍ଡ୍‌ ମୋଦୀ ତିଆରି କରିବା ଶୁଭାରମ୍ଭ ହୋଇଥିଲା। ଏହାପରେ ୨୦୧୨ରେ ମଧ୍ୟ ମୋଦୀଙ୍କୁ ସମାନ ବିଜୟ ମିଳିଥିଲା। ଏଲ୍‌କେ ଆଡଭାନୀ ବିଜେପିକୁ ୨୦୦୯ ଲୋକସଭା ନିର୍ବାଚନ ଜିତାଇବାରେ ବିଫଳ ହେବାରୁ ବିଜେପି ପାଇଁ ପରବର୍ତ୍ତୀ ନେତା ଖୋଜା ପଡ଼ିଥିଲା। ଏହାପରେ ଜେଟ୍‌ଲି ହିଁ ନରେନ୍ଦ୍ର ମୋଦୀଙ୍କ ନାମକୁ ଆଗକୁ ଆଣିଥିଲେ।

ସମ୍ବନ୍ଧିତ ଖବର