ଗୋଟିଏ ମାସର ଦୁଇଥର ଦରମା ମିଳିବା ପରେ ପଞ୍ଜାବ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟ୍‌ ଫ୍ରିଜ୍‌ ହୋଇ ଟଙ୍କା ଡେବିଟ୍‌ ହେଲା

ଲୁଧିଆନା: ଶନିବାର ଦିନ କେତେକ କର୍ମଚାରୀ ଦେଖିଲେ ଅକ୍ଟୋବର ମାସ ଲାଗି ସେମାନଙ୍କୁ ଦୁଇ ଥର ଦରମା ମିଳିଛି। ଭାବିଲେ, ପଞ୍ଜାବ ସରକାର ସେମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତିି। କିନ୍ତୁ, ତାଙ୍କର ସୁଖ ଥିଲା କ୍ଷଣସ୍ଥାୟୀ। ତିନି ଦିନ ଧରି ସେମାନେ ସେମାନଙ୍କ କଷ୍ଟାର୍ଜିତ ଅର୍ଥ ଉଠାଇ ପାରିଲେ ନାହିଁ। ବୈଷୟିକ ତ୍ରୁଟି ଯୋଗୁଁ କେତେକ କର୍ମଚାରୀଙ୍କୁ ଗୋଟିଏ ମାସର ଦୁଇ ଥର ଦରମା ମିଳିଯାଇଥିବା କଥା ଜାଣିବା ପରେ ସେମାନଙ୍କ ଆକାଉଣ୍ଟ୍‌ ଫ୍ରିଜ୍‌ କରି ଦିଆଯାଇଥିଲା। କେବଳ ଏତିକି ନୁହେଁ ଦୁଇ ଥର ଦରମା ପାଇ ନ ଥିବା କେତେକ କର୍ମଚାରୀଙ୍କ ଆକାଉଣ୍ଟ୍‌ରୁ ବି ସରକାର ଟଙ୍କା ଡେବିଟ୍‌ କରିଥିଲେ।

ତ୍ରୁଟି ଯୋଗୁଁ ସମଗ୍ର ପଞ୍ଜାବରେ ସରକାରୀ କର୍ମଚାରୀମାନଙ୍କୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆ ହୋଇ ଯାଇଥିଲା। କେବଳ ଲୁଧିଆନା ଜିଲ୍ଳାରେ ୬୩ କୋଟି ଏବଂ ଅମୃତସର ଜିଲ୍ଲାରେ ୫୦ କୋଟି ବହକା ଟଙ୍କା ଅଧିକ ଦରମା ଦିଆଯାଇଥିଲା।

ସେମାନଙ୍କ ଆକାଉଣ୍ଟ୍‌ ଫ୍ରିଜ୍‌ କରାଯାଇଥିବା କଥା ସୋମବାର ଦିନ ଜାଣିବା ପରେ କର୍ମଚାରୀମାନେ ବ୍ୟାଙ୍କ୍‌ ଏବଂ ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟକୁ ଧାଇଁଲେ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରଶାସନ କୋଅପରେଟିଭ୍‌ ବ୍ୟାଙ୍କ୍‌, ୟୁନିୟନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏବଂ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦେଶ ଜାରି କଲେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସବୁ ସଚଳ କରିବାକୁ। ପରେ ପରେ ଦୁଇ ଥର ଦରମା ପାଇ ନ ଥିବା କେତେକ କର୍ମଚାରୀଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଆସିଲା କି, ଆକାଉଣ୍ଟ୍‌ରୁ ସେମାନଙ୍କର ଅକ୍ଟୋବର ମାସର ଦରମା ଡେବିଟ୍‌ ହୋଇ ଯାଇଛି।

ସମ୍ବନ୍ଧିତ ଖବର