ଗୋରକ୍ଷା ଆଳରେ ହିଂସା ଗ୍ରହଣୀୟ ନୁହେଁ: ଭାଗବତ

ସମସ୍ତ ଭାରତବାସୀ ହିନ୍ଦୁ, ଅନ୍ୟ ଜାତିରେ ବିବାହକୁ ଆର୍‌ଏସ୍‌ଏସ୍‌ ସମର୍ଥନ କରୁଛି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ତିନି ଦିନିଆ ଅଧିବେଶନର ଆଜି ଶେଷ ଦିବସରେ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଗୋ ରକ୍ଷା ଆଳରେ କୌଣସି ବ୍ୟକ୍ତି ଆଇନ ହାତକୁ ନେଇପାରିବେ ନାହିଁ। ଗୋ ରକ୍ଷା ଆଳରେ ହିଂସା ପ୍ରଦର୍ଶନ କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସାମାଜିକ ସଦ୍‌୍‌ଭାବ ରକ୍ଷା ଦିଗରେ ସମସ୍ତ ନାଗରିକ ସଚେତନ ରହି କାର୍ଯ୍ୟ କରିବା ଜରୁରୀ ବୋଲି ସେ କହିଛନ୍ତି। ପରିଚୟ ଦୃଷ୍ଟିରୁ ଏବଂ ରାଷ୍ଟ୍ରୀୟତା ଦୃଷ୍ଟିରୁ ଦେଶର ସମସ୍ତ ନାଗରିକ ହିନ୍ଦୁ ବୋଲି ଭାଗବତ କହିଛନ୍ତି। ହିନ୍ଦୁତ୍ୱର କେବେ ଅନ୍ତ ନାହିଁ ଏବଂ ଏହା ପ୍ରାଚୀନ କାଳରୁ ଭାରତରେ ଚାଲିଆସିଛି ଏବଂ ସେହି ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟ ହିନ୍ଦୁ ବୋଲି ସେ କହିଛନ୍ତି। ସମଗ୍ର ବିଶ୍ୱରେ ହିନ୍ଦୁତ୍ୱର ଗ୍ରହଣୀୟତା ବଢ଼ିଛି ବୋଲି ମତ ଦେଇ ସେ କହିଛନ୍ତି ଯେ ଆମକୁ ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ହେବ ଯେଉଁଠି ମହିଳାମାନେ ନିଜକୁ ସଂପୂର୍ଣ୍ଣ ସୁରକ୍ଷିତ ଅନୁଭବ କରିପାରିବେ । ଆରଏସ୍‌ଏସ୍‌ ମହିଳାଙ୍କ ସ୍ୱାଧୀନତା ଉପରେ ସର୍ବଦା ବିଶ୍ୱାସ କରୁଛି ଏବଂ ଭିନ୍ନ ଜାତିରେ ବିବାହକୁ ଆରଏସ୍‌ଏସ୍‌ କେବେ ବିରୋଧ କରିନାହିଁ ବୋଲି ସେ କହିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ସମୟୋପଯୋଗୀ କରିବାକୁ ଭାଗବତ ଗୁରୁତ୍ୱାରୋପ କରିଛନ୍ତି। ସଂଘ ଇଂରାଜୀ ସମେତ କୌଣସି ଭାଷାକୁ କେବେ ବିରୋଧ କରିନାହିଁ, କିନ୍ତୁ ଇଂରାଜୀ ଭାଷାକୁ ଭାରତୀୟ ଭାଷାର ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସମ୍ବିଧାନର ଧାରା ୩୭୦ ଏବଂ ୩୫(ଏ) ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରି ଭାଗବତ କହିଛନ୍ତି ଯେ ଆରଏସ୍‌ଏସ୍‌ କେବେ ବି ଏହାକୁ ଗ୍ରହଣ କରିନାହିଁ।

ସମ୍ବନ୍ଧିତ ଖବର