ଗ୍ରାହକଙ୍କ ଅଭିଯୋଗର ସମାଧାନ କର, ନଚେତ କାର୍ଯ୍ୟାନୁଷ୍ଠାନ : ଓଲା, ଉବରକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ : ଓଲା, ଉବର ପରି ଅନଲାଇନ ଟାକ୍ସି ଆଗ୍ରିଗେଟର ସଂସ୍ଥାମାନଙ୍କୁ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ସରକାର । ଗ୍ରାହକଙ୍କ ଅଭିଯୋଗର ସମାଧାନ କର ନୋଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମନ୍ତ୍ରାଳୟ ପକ୍ଷରୁ ଆଜି ବିଭିନ୍ନ ଅନଲାଇନ ଟାକ୍ସି ଆଗ୍ରିଗେଟର କମ୍ପାନି ଯଥା ଓଲା, ଉବର, ମେରୁ, ଜୁଗନୁର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରାଯାଇ ସେମାନଙ୍କ କାର୍ଯ୍ୟପ୍ରଣାଳୀ, ମୂଲ୍ୟ ନିର୍ଦ୍ଧାରଣ ଆଲଗୋରିଦମ, ଡ୍ରାଇଭରମାନଙ୍କ ପେମେଣ୍ଟ୍ ଢାଞ୍ଚା ଆଦି ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚରାଯାଇଛି । ଏହି ଆଲୋଚନା ଓ ବିଭିନ୍ନ ଗ୍ରାହକ ଫୋରମର ମତାମତ ମିଳିବା ପରେ ଏହି କ୍ଷେତ୍ରର ପରିଚାଳନା ପାଇଁ ସରକାର କେତେକ ଗାଇଡଲାଇନ ଜାରି କରିବାର ସମ୍ଭାବନା ରହିଛି । ଏହି ବୈଠକ ବେଳେ ଯାତ୍ରୀଙ୍କ ଅଭିଯୋଗ ସମାଧାନ ଉପରେ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେବାକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଅନଲାଇନ ଟାକ୍ସି ଆଗ୍ରିଗେଟର ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସ୍ତାବିତ ଗାଇଡଲାଇନରେ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଏକ ଏସଓପି ରହିବ । ଏହି ଏସଓପି ଭିତ୍ତିରେ ଗ୍ରାହକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଓ ରାଜ୍ୟ ପରିବହନ ବିଭାଗମାନେ ଅନଲାଇନ ଟାକ୍ସି ଆଗ୍ରିଗେଟର କ୍ଷେତ୍ର ପାଇଁ ନିୟମାବଳୀ ଜାରି କରିଛନ୍ତି । ଏହା ସତ୍ତ୍ବେ ଗ୍ରାହକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ବୈଠକ ଡକାଯାଇଥିଲା ।

 

ସମ୍ବନ୍ଧିତ ଖବର