ଚାଇନା ଟିକା : ଯିଏ ନେଲା ପସ୍ତେଇଲା

ଚୀନ ଟିକାରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା

ସିଂଗାପୁର : କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ବକୁ କବଳିତ କରିରଖିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ ପସ୍ତାଇଛି ।

ଚୀନ ଦ୍ବାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତି ଯେ, ଚୀନ ପକ୍ଷରୁ ଏହି ଟିକା ସଂପର୍କିତ ତଥ୍ୟ ଠିକ ସମୟରେ ପ୍ରଦାନ କରାଯାଉନାହିଁ । ଫଳରେ ଟିକାର ସୁରକ୍ଷା ଯାଞ୍ଚ କରିବା ସମ୍ଭବ ହୋଇପାରୁ ନାହିଁ । ଫିଲିପାଇନ୍ସ ସରକାର ଚୀନଠାରୁ ଟିକା କିଣିଥିବାରୁ ସେଠାକାର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେହିପରି ସିଂଗାପୁର ଓ ମାଲେସିଆରେ ମଧ୍ୟ ଲୋକମାନେ ଚୀନ ଟିକାକୁ ପ୍ରବଳ ବିରୋଧ କରୁଛନ୍ତି । ସିନୋଭାକ ଟିକାର ନିରାପତ୍ତା ସମ୍ପର୍କରେ ଯଥେଷ୍ଟ ତଥ୍ୟ ନ ଥିବାରୁ ଲୋକମାନେ ଏହି ଟିକାକୁ ନେବାକୁ ରାଜି ହେଉନାହାନ୍ତି । ଫଳରେ ଉଭୟ ଦେଶର ସରକାର ଲୋକମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ସଂପୂର୍ଣ୍ଣ ସୁରକ୍ଷା ଯାଞ୍ଚ ନ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଟିକା ଦିଆଯିବ ନାହିଁ।

ତାଇଓ୍ବାନର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନର ଏହି ଟିକା ବିଶ୍ବରେ ସବୁଠୁ ଅସୁରକ୍ଷିତ ଟିକା । ଏଥିରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି ।

ବିଶ୍ବର ପ୍ରାୟ ୨୪ଟି ବିକାଶଶୀଳ ଦେଶ ଚୀନରୁ ଟିକା ଆମଦାନୀ ପାଇଁ ଚୁକ୍ତି କରିଥିଲେ । ତେବେ ଚୀନର ଟିକା ପ୍ରଭାବୀ ହୋଇପାରି ନଥିବାବେଳେ ଚୀନ କମ୍ପାନିମାନେ ମଧ୍ୟ ଠିକ ସମୟରେ ଟିକା ଯୋଗାଇପାରୁନାହାନ୍ତି । ଏହାଫଳରେ ସଂପୃକ୍ତ ଦେଶମାନେ ସମସ୍ୟାରେ ପଡ଼ିଯାଇଛନ୍ତି ।

କିନ୍ତୁ  ଏପରିସ୍ଥିତିରେ ଭାରତ ପକ୍ଷରୁ ଟିକା ଯୋଗାଣ ଆରମ୍ଭ କରାଯିବା ଅନେକ ଦେଶମାନଙ୍କୁ ଆଶ୍ବସ୍ତ କରିଛି । ବ୍ରାଜିଲ, କେତେକ ଦକ୍ଷିଣ-ପୂର୍ବ ଏସୀୟ ଓ ମଧ୍ୟ ଏସୀୟ ଦେଶ ଭାରତରୁ ଟିକା ଆମଦାନୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର