ଚୀନର ମୁକାବିଲା ଲାଗି ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ; ଆଜି ଟୋକିଓରେ ବସିବ କ୍ବାଡ୍ ର ବୈଠକ

ନୂଆଦିଲ୍ଲୀ : ବିଶ୍ବରେ ଚୀନର ପ୍ରାଦୁର୍ଭାବ ବଢିଚାଲିଥିବାରୁ ତାହାର ମୁକାବିଲା ପାଇଁ ଏକାଠି ହୋଇଛନ୍ତି ବିଶ୍ବର ସୁପରପାଓ୍ବାର ଆମେରିକା ଓ ଅନ୍ୟ ୩ଟି ଶକ୍ତିଶାଳୀ ଦେଶ-ଭାରତ, ଜାପାନ ଓ ଅଷ୍ଟ୍ରେଲିଆ । ଏହି ୪ଟି ଦେଶକୁ ନେଇ ଗଠିତ ମେଣ୍ଟ କ୍ବାଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ ଯାଉଛି । ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେବେ । ଭାରତ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଯୋଗ ଦେବେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ବାଡ ସଂଗଠନରେ ଏହା ହେଉଛି ୨ୟ ମନ୍ତ୍ରୀସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା ।

ନଭେମ୍ବର ୨୦୧୭ରେ ମାନିଲାଠାରେ ଅନୁଷ୍ଠିତ ଏସିଆନ ସଂଗଠନ ବୈଠକରେ କ୍ବାଡ୍ ସଂଗଠନକୁ ପୁଣି ସକ୍ରିୟ କରିବାକୁ ଏହି ୪ଟି ଦେଶର କୂଟନିତିଜ୍ଞମାନେ ଆଲୋଚନା କରିଥିଲେ ।

ମୁଖ୍ୟତଃ ଚୀନର ପ୍ରଭାବକୁ ଓ ବଢିଚାଲିଥିବା ଆଧିପତ୍ୟର ମୁକାବିଲା ଲାଗି ଏହି ମେଣ୍ଟ ଗଠନ କରାଯାଇଛି । ଏହି ମେଣ୍ଟ ମାଧ୍ୟମରେ ପରସ୍ପର ମଧ୍ୟରେ ସାମରିକ ଓ କୂଟନୈତିକ ସହଯୋଗ ପାଇଁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପୂର୍ବରୁ ସହମତ ହୋଇଥିଲେ ।
ତେବେ ଏହି ସଂଗଠନକୁ ସମାଲୋଚନା କରିଛି ଚୀନ । କ୍ବାଡ କୌଣସି ୩ୟ ଦେଶକୁ ଟାର୍ଗେଟ କରିବା ଉଚିତ ନୁହେଁ ବୋଲି ବେଜିଂ କହିଛି ।

ସମ୍ବନ୍ଧିତ ଖବର