ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଣିଷର ନିଦ କମୁଛି : ଗବେଷଣା

ଭୁବନେଶ୍ବର : ଜଳବାୟୁ ପରିବର୍ତ୍ତନ ଯୋଗୁଁ କେବଳ ଆମ ପରିବେଶ, ଜଳବାୟୁ, ଋତୁଚକ୍ର କିମ୍ବା ବାସସ୍ଥାନ ଉପରେ ନୁହେଁ ଆମ ଜୀବନଧାରଣ ଉପରେ ବଡ଼ ପ୍ରଭାବ ପକାଇବା ଆରମ୍ଭ କରିଛି । ଏକ ନୂଆ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଆମ ନିଦ ଉପରେ ବି ପ୍ରଭାବ ପକାଉଛି ।

କୋପନହାଗନ ବିଶ୍ବ ବିଦ୍ୟାଳୟର ଗବେଷକମାନଙ୍କ ଗବେଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଉଛି । ଏହା ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ଆସୁନାହିଁ । ଲୋକମାନେ ବିଳମ୍ବିତ ରାତିରେ ଶୋଉଛନ୍ତି ଓ ବିଳମ୍ବରେ ଉଠୁଛନ୍ତି । ଏହାଫଳରେ ଆମେ ବହୁମୂଲ୍ୟ ରାତ୍ରିକାଳୀନ ନିଦ୍ରା ହରାଉଛନ୍ତି ଓ ସକାଳେ ଉଠିବା ବେଳେ କ୍ଲାନ୍ତ ଅନୁଭବ କରୁଛନ୍ତି । ଏହା ଆମର ଶରୀର ଉପରେ କୁପ୍ରଭାବ ପକାଉଛି । ଏହା ଦ୍ବାରା ହୃଦରୋଗ, ଉଚ୍ଚରକ୍ତଚାପ, ମଧିୁମେହ ପରି ଲାଇଫଷ୍ଟାଇଲ ରୋଗ ହୋଇଥାଏ ।

ଏହି ଅଧ୍ୟୟନ ରିପୋର୍ଟ ଓ୍ବାନ ଆର୍ଥ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଗବେଷକଙ୍କ ମତରେ ଆଗାମୀ ଦିନରେ ତାପମାତ୍ରା ବଢିବା ସହ ଲୋକମାନଙ୍କ ନିଦ୍ରାହୀନତା ବଢିଚାଲିବ । ଚଳିତ ଶତାବ୍ଦୀ ଶେଷସୁଦ୍ଧା ଲୋକମାନେ ବର୍ଷକୁ ୧୦-୧୫ ଦିନର ଦୁର୍ବଳ ନିଦ୍ରାର ସମ୍ମୁଖୀନ ହେବେ ।

ଏହି ଗବେଷକ ଦଳର ମୁଖ୍ୟ କେଲଟର ମାଇନର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭବିଷ୍ୟତ ନୁହେଁ ଏବେଠାରୁ ପଡ଼ିବା ଆରମ୍ଭ କରିଛି । ଏହା ଦ୍ବାରା ଅଧିକ ବନ୍ୟା ବା ମରୁଡି ନୁହେଁ, ଆମର ନିଦକୁ ବି ନଷ୍ଟ କରିଚାଲିଛି ।

ସମ୍ବନ୍ଧିତ ଖବର