ଜାତିସଂଘର ଏକ ତୃତୀୟାଂଶ ମହିଳା କର୍ମଚାରୀ ନିର୍ଯାତନାର ଶିକାର

ନୂଆଦିଲ୍ଲୀ: ଜାତିସଂଘରେ ଏକ ତୃତୀୟାଂଶ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଏକ ଚାଞ୍ଚଲ୍ୟକର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ଜାତିସଂଘରେ ଏକ ତୃତୀୟାଂଶ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଗତ ନଭେମ୍ବରରେ ଏକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ହୋଇଥିବା ଅନ୍‌ଲାଇନ୍‌ ସର୍ଭେରୁ ଏହା ଜଣାପଡ଼ିଛିା। ଜାତିସଂଘ ଏବଂ ଏହାର ବିଭିନ୍ନ ସଂସ୍ଥାମାନଙ୍କର ୩୦,୩୬୪ କର୍ମଚାରୀ ଏ‌ହି ସର୍ଭେରେ ସାମିଲ୍‌ ହୋଇଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଅନଲାଇନ୍‌ ସର୍ଭେରେ ଅଂଶଗ୍ରହଣ କରିଥିବା ୨୧.୭ ପ୍ରତିଶତ ସ୍ବୀକାର କରିଛନ୍ତି, ସେମାନଙ୍କୁ ଅନେକ ପରିସ୍ଥିତିରେ ଅତ୍ୟନ୍ତ ଅପମାନଜନକ ପରିହାସ ସାମ୍ନା କରିବାକୁ ପଡ଼ିଥାଏ। ୧୪.୨ ପ୍ରତିଶତ କହିଛନ୍ତି ‌ଯେ ସେମାନଙ୍କ ଶରୀରକୁ ନେଇ ସେମାନେ ଅନେକ ସମୟରେ କମେଣ୍ଟ୍‌ର ଶିକାର ହୋଇଥାନ୍ତି। ୧୦.୧ ପ୍ରତିଶତ କହିଛନ୍ତି ‌ଯେ ବେଳେବେଳେ ସେମାନଙ୍କୁ ଏମିତି ଢଙ୍ଗରେ କେହି କେହି ଛୁଇଁଥାନ୍ତି ଯାହା ସେମାନଙ୍କୁ ଅତି ଖରାପ୍‌ ଲାଗିଥାଏ। ତେବେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଧିକାଂଶ ମହିଳା ପ୍ରକାଶ କରିଛନ୍ତି ଯେ ଅଫିସ୍‌ ପରିବେଶରେ ହିଁ ଏହା ବେଶୀ ଘଟୁଛି। ୧୭.୧ ପ୍ରତିଶତ ମହିଳା କର୍ମଚାରୀ କହିଛନ୍ତି, କାର୍ଯ୍ୟ ସଂକ୍ରାନ୍ତ ସାମାଜିକ କାର୍ଯ୍ୟକ୍ରମ ‌କ୍ଷେତ୍ରରେ ମଧ୍ୟ ଏଭଳି ଅପ୍ରୀତିକର ସ୍ଥିତି ଉପୁଜୁଛି। ଅଧିକାଂଶ ମହିଳା କହିଛନ୍ତି ଯେ ଯୌନ ନିର୍ଯାତନା ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇପାରି ନାହାନ୍ତି।

ସମ୍ବନ୍ଧିତ ଖବର