ନୂଆଦିଲ୍ଲୀ : ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପୁଲିସ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ପୁରୀ ବନ୍ଦ ବେଳେ ବ୍ୟାପକ ହିଂସା ଘଟଣା ନେଇ ତ୍ବରିତ ଶୁଣାଣି ପାଇଁ ହୋଇଥିବା ଏକ ମଧ୍ୟବର୍ତ୍ତିକାଳୀନ ଆବେଦନର ବିଚାର କରି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟର କଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ ଲୟର୍ସ ଅଧ୍ୟକ୍ଷ ଦେବାଶିଷ ମିଶ୍ରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
େଦବାଶିଷ ମିଶ୍ର ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଅକ୍ଟୋବର ୩ ତାରିଖରେ ପୁରୀ ବନ୍ଦ ବେଳେ ବ୍ୟାପକ ହିଂସା ହୋଇଥିଲା। ଏହି ସମୟରେ ପୁଲିସ ଜୋତା ଓ ବନ୍ଧୁକ ସହ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଆନ୍ଦୋଳନକାରୀଙ୍କୁ ଅତ୍ୟନ୍ତ ଦୟାହୀନ ଭାବେ ମାଡ଼ ମାରିଥିଲେ। ସୁପ୍ରିମକୋର୍ଟଙ୍କ ଜୁଲାଇ ୫ ତାରିଖର ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଆରମ୍ଭ କରିଥିଲେ ଯାହାକୁ ଶ୍ରୀ ଜଗନ୍ନାଥ ସେନା ଓ ସ୍ଥାନୀୟ ବାସିନ୍ଦାମାନେ ବିରୋଧ କରିଥିଲେ। ଏହା ବିରୋଧରେ ଅକ୍ଟୋବର ୩ ତାରିଖରେ ବନ୍ଦ ଡାକରା ଦିଆଯାଇଥିଲା, ଯେଉଁଥିରେ ହିଂସାକାଣ୍ଡ ଘଟିଥିଲା ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁରି ଜିଲ୍ଲା ଜଜ୍ଙ୍କ ରିପୋର୍ଟ ଓ ସୁପାରିସ ତଥା ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ୫ ଜୁଲାଇ ୨୦୧୮ ଆଦେଶ ଉପରେ ରହିତାଦେଶ ଜାରି କରିବାପାଇଁ ଦେବାଶିଷ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଶୁଣାଣି ସମୟରେ ଆଜି ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ର କହିଥିଲେ ଯେ ଦେବାଶିଷଙ୍କ ଯୁକ୍ତିରେ କୌଣସି ପ୍ରକାର ସତ୍ୟତା ନାହିଁ। ଅକ୍ଟୋବର ୩ ରେ ପୁରୀ ବନ୍ଦ ବେଳେ ଯେଉଁ ହିଂସା ହୋଇଥିଲା ସେଥିରେ ୪୭ ଜଣଙ୍କୁ ଗିରଫ କରାଯାଇଛି ଏବଂ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ସେହିପରି ମନ୍ଦିର ପ୍ରଶାସନ ତରଫରୁ ବରିଷ୍ଠ ଆଇନଜୀବୀ ଶ୍ବେତକେତୁ ମିଶ୍ର କହିଥିଲେ ଯେ ଦେବାଶିଷ ମିଶ୍ରଙ୍କ ଦ୍ବାରା ଯେଉଁସବୁ ତଥ୍ୟ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରାଯାଇଛି ତାହା ଅସତ୍ୟ ଏବଂ ତ୍ରୁଟିପୂର୍ଣ୍ଣ। ମନ୍ଦିର ଭିତରକୁ ପୁଲିସ ପ୍ରବେଶ କରିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଆଜିର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ ତରଫରୁ ଓକିଲ ବିବେକ ରାଜା କୋର୍ଟରେ ଉପସ୍ଥିତ ରହି ସେ ଅକ୍ଟୋବର ୨୨ରେ ଫେରିବାପରେ ରିପୋର୍ଟ ଦାଖଲ କରିବେ ବୋଲି କହିଥିଲେ। ସମସ୍ତଙ୍କ ପକ୍ଷ ଶୁଣିବାପରେ ଖଣ୍ଡପୀଠ ଦେବାଶିଷ ମିଶ୍ରଙ୍କ ଆବେଦନ ଉପରେ ୨ ସପ୍ତାହ ଭିତରେ ଜବାବ ରଖିବାପାଇଁ ରାଜ୍ୟ ସରକାର, ଜଗନ୍ନାଥ ମନ୍ଦିର ପ୍ରଶାସନ, ଆମିକସ୍ କ୍ୟୁରି ତଥା ମୂଳ ଆବେଦନକାରୀଙ୍କୁ ନୋଟିସ୍ କରିଥିଲେ। ମାମଲାର ପରବର୍ତୀ ଶୁଣାଣି ଅକ୍ଟୋବର ୩୧ରେ ହେବ।