ଟ୍ରମ୍ପ୍‌ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି : ଉତ୍ତର କୋରିଆ

ମସ୍କୋ: ବିଶ୍ୱ ସମୁଦାୟକୁ ଅବମାନନା କରି ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ପରୀକ୍ଷାରେ ଅମେରିକା କ୍ଷୁବ୍ଧ ହେବା ସହ ଦୁଇ ଦେଶ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ପରସ୍ପର ବିରୋଧୀ ଆଭିମୁଖ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ ଉନ୍‌ ଏକ ରକମ ଯୁଦ୍ଧାଭିମୁଖୀ ହେବାରେ ଲାଗିଛନ୍ତି। ଗତକାଲି ଆମେରିକାର ୨ଟି ବୋମାବର୍ଷୀ ବିିମାନ ଉତ୍ତର କୋରିଆ ଉପଦ୍ୱୀପରେ ଉଡ଼ାଣ କରିବା ପରେ ଉତ୍ତର କୋରିଆ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଡୋନାଲ୍ଡ୍‌ ଟ୍ରମ୍ପ୍‌ ହିଁ ଯୁଦ୍ଧର ବଳିତାରେ ନିଆଁ ଚେଙ୍ଗିଛନ୍ତି ବୋଲି ଉତ୍ତର କୋରିଆ ବିଦେଶ ମନ୍ତ୍ରୀ ରି ୟୋଙ୍ଗ ହୋ ଆକ୍ଷେପ କରି କହିଛନ୍ତି। ତେବେ ଏହାର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ରୁଷ୍‌ର ରାଷ୍ଟ୍ରୀୟ ଗଣମାଧ୍ୟମ ‘ଟାସ୍‌’ରେ ରି ୟୋଙ୍ଗ ସଫେଇ ଦେଇ କହିଛନ୍ତି ଯେ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ କେବଳ ଦେଶରେ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ। ତେଣୁ ଏହା କୌଣସିମତେ ଆଲୋଚନାର ବିଷୟବସ୍ତୁ ନୁହେଁ। ସୁତରାଂ ପରମାଣୁ କାର୍ଯ୍ୟକ୍ରମ ନେଇ କୌଣସି ବୁଝାମଣା ପାଇଁ ଉତ୍ତର କୋରିଆ ଆଦୌ ପ୍ରସ୍ତୁତ ନୁହେଁ । ମାତ୍ର ଟ୍ରମ୍ପଙ୍କର ଏଭଳି ପଦକ୍ଷେପର ଉଚିତ ଜବାବ ଉତ୍ତର କୋରିଆ ଦେବ। ତେବେ କୌଣସି ଆଲୋଚନା ମାଧ୍ୟମରେ ନୁହେଁ, ବରଂ ନିଆଁର ଖେଳରେ ବୋଲି ରି ୟୋଙ୍ଗ ପରୋକ୍ଷରେ ଧମକ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀଙ୍କ ଏଭଳି ଚେତାବନୀ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ଙ୍କ ଆମେରିକା ବିରୋଧୀ କଠୋର ଆଭିମୁଖ୍ୟକୁ ଖୋରାକ ଯୋଗାଇବା ସହ ଯୁଦ୍ଧର ଆଶଙ୍କାକୁ ଆହୁରି ଘନୀଭୂତ କରିଛି।

ସମ୍ବନ୍ଧିତ ଖବର