ଡାକ୍ତରଙ୍କ ଦରମା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ଯୋଦ୍ଧାଙ୍କୁ ନିରୁତ୍ସାହିତ କରିବା ଅନୁଚିତ

The Supreme Court is concerned about doctors' salarys

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କୁ ଠିକ୍‌ ସମୟରେ ଦରମା ମିଳୁନଥିବା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଅତି ଗମ୍ଭୀରତାର ସହ ନେଇଛନ୍ତି। କୋର୍ଟ କହିଛନ୍ତି ଯୋଦ୍ଧାଙ୍କୁ ନିରୁତ୍ସାହିତ କରିବା ଅନୁଚିତ। ସରକାର ଏହି ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ଉଚିତ। ଉଲ୍ଲେଖଯୋଗ୍ୟ କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଡାକ୍ତରଙ୍କୁ ଦରମା ଠିକ୍‌ରେ ମିଳୁନାହିଁ ଏବଂ ସେମାନଙ୍କ ଦରମା କାଟ କରାଯାଉଥିବା ଅଭିଯୋଗ କରି ଜଣେ ଡାକ୍ତର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ଉକ୍ତ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜଷ୍ଟିସ୍‌ ଅଶୋକ ଭୂଷଣ, ଏସ୍‌ କେ କୌଲ୍‌ ଏବଂ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଅନେକ ସ୍ଥାନରେ ଡାକ୍ତରମାନଙ୍କୁ ଦରମା ମିଳୁନଥିବା ନେଇ ଖବର ମିଳୁଛି। ଡାକ୍ତରମାନେ ଧାରଣାରେ ମଧ୍ୟ ବସୁଥିବ ରିପୋର୍ଟ ଆସିଛି। ଏପରିକି ଜାତୀୟ ରାଜଧାନୀ ଦିଲ୍ଲୀରେ ଗତ ୩ ମାସ ଧରି ଡାକ୍ତରମାନଙ୍କୁ ଦରମା ମିଳୁନଥିବା ଖବର ମିଳିଛି। ଏଭଳି ସମସ୍ୟାର ସମାଧାନ ସରକାର ନିଜେ କରିବା ଉଚିତ। ଏଥିରେ କୋର୍ଟ ହସ୍ତକ୍ଷେପ କରିବା‌ ଠିକ୍‌ ହେବନାହିଁ। କେନ୍ଦ୍ର ସରକାରଙ୍କୁ ଏନେଇ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟେକ ସମସ୍ୟାକୁ ଭଲଭାବେ ଅନୁଧ୍ୟାନ କରି ଏଦିଗରେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍‌ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହଟା କହିଛନ୍ତି, ଯଦି ଏନେଇ ଆଗକୁ ଭଲ ପରାମର୍ଶ ‌ମିଳେ ତେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ। ତେବେ ଡାକ୍ତରମାନଙ୍କ ପାଇଁ ସେମାନଙ୍କ ଡ୍ୟୁଟି ପରେ ୧୪ ଦିନର ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌ ଅଯୌକ୍ତିକ ବୋଲି କେନ୍ଦ୍ର କହିଛନ୍ତି। ଅନ୍ୟପକ୍ଷେ କୋର୍ଟ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ରଖିଛନ୍ତି।

ସମ୍ବନ୍ଧିତ ଖବର