ଡେଲ୍‌ଟା ପ୍ଲସ୍‌ ପ୍ରଜାତି ବିରୋଧରେ ଟିକା ପ୍ରଭାବ: ଆଇସିଏମ୍‌ଆର୍‌ ଓ ଏନ୍‌ଆଇଭିର ଅଧ୍ୟୟନ ଜାରି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଶରୀରରେ ଚିହ୍ନଟ ହେଉଥିବା ଡେଲ୍‌ଟା ପ୍ଲସ୍‌ ପ୍ରଜାତିର ଶକ୍ତି କେତେ ସେନେଇ ଆଇସିଏମ୍ଆର ଏବଂ ଏନ୍‌ଆଇଭି (ଜାତୀୟ ଭୂତାଣୁ ବିଜ୍ଞାନ ଅନୁଷ୍ଠାନ) ଅଧ୍ୟୟନ ଜାରି ରଖିଛନ୍ତି। ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଅଧିକ ସଂକ୍ରାମକ। ଏହା ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବିତ କରୁଛି ଏବଂ ଏଣ୍ଟିବଡି ଚିକିତ୍ସାର ବି ପ୍ରତିରୋଧ କରୁଛି। ତେଣୁ ଏହା ବଡ଼ ଚିନ୍ତାର କାରଣ ହୋଇଛି। ତେବେ ଆଇସିଏମ୍‌ଆର୍‌ ବିଶେଷଜ୍ଞମାନେ ଏବେ ଦେଶରେ ଉପଲବ୍ଧ ଥିବା ଟିକା ଡେଲ୍‌ଟା ପ୍ଲସ୍‌ ପ୍ରଜାତି ବିରୋଧରେ କେତେ ଫଳପ୍ରଦ ହେଉଛି ସେନେଇ ଅଧ୍ୟୟନ କରୁଛନ୍ତି। ଆଇସିଏମ୍‌ଆର ବୈଜ୍ଞାନିକ ଡାକ୍ତର ସମିରନ ପଣ୍ଡା କହିଛନ୍ତି, କରୋନା ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ଏଣ୍ଟିବଡି ସଂଗ୍ରହ କରି ଏହି ଅଧ୍ୟୟନ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର ଫଳାଫଳ ଆସିବ।

ବିଭିନ୍ନ ସ୍ଥାନରୁ କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରି ଏହାର ପରୀକ୍ଷଣ କରାଯାଉଛି। ଟିକା ଦ୍ବାରା ଡେଲ୍‌ଟା ପ୍ରଜାତି ସଂକ୍ରମଣ ହ୍ରାସ ହୋଇପାରିବ କି ନା’ ସେନେଇ ଅଧ୍ୟୟନ ଜାରି ରହିଛି। ତେବେ ଡେଲ୍‌ଟା ପ୍ରଜାତି ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରୋନା କଟକଣା କଡ଼ାକଡ଼ି କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଭୂତାଣୁ ବିଶେଷଜ୍ଞ ଡାକ୍ତର ଜାକବ ଜନ୍‌ କହିଛନ୍ତି, ସମସ୍ତ ପ୍ରଜାତି ଚିନ୍ତାଜନକ। ଏଯାବତ୍‌ ପ୍ରାଥମିକ ପ୍ରଜାତିକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟିକା ଏବେ ବି ଫଳପ୍ରଦ। ତେଣୁ ଟିକା ଦ୍ବାରା ‌‌ଯେଉଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ତାହା ଡେଲ୍‌ଟା ପ୍ଲସ୍‌ କବଳରୁ ସୁରକ୍ଷା ଦେଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର