ଡ୍ରୋନ୍‌ କ୍ୟାମେରା ଉଡ଼ାଇବାରୁ କର୍ଣ୍ଣାଟକ ଜଙ୍ଗଲ ମନ୍ତ୍ରୀଙ୍କୁ ବିନ୍ଧିଲା ମହୁମାଛି

ବେଲାଗାଓ୍ଵି: ଡ୍ରୋନ୍‌ କ୍ୟାମେରା ଉଡ଼ିବା ଯୋଗୁଁ କର୍ଣ୍ଣାଟକର ଜଙ୍ଗଲ ମନ୍ତ୍ରୀ ବି ରାମନାଥ ରାୟ, କେତେକ ସରକାରୀ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି। ଶୁକ୍ରବାର ସକାଳେ ବିଶେଶ୍ୱରାୟା ଟେକ୍ନୋଲୋଜିକାଲ୍‌ ୟୁନିଭର୍ସିଟି ନିକଟରେ ଗୋଟିଏ ବାୟୋଡାଇଭର୍ସିଟି ପାର୍କ ଉଦ୍‌ଘାଟନ ପାଇଁ ସେମାନେ ଏକତ୍ର ହୋଇଥିଲେ।

ପୂର୍ବାହ୍ନ ୧୦ଟା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ଜଙ୍ଗଲ ମନ୍ତ୍ରୀ ରାୟ, ସାଂସଦ ସୁରେଶ ଅଙ୍ଗଦି, ଜଙ୍ଗଲ ବିଭାଗର ପ୍ରିନ୍‌ସିପାଲ୍‌ ସେକ୍ରେଟାରି ବିଜୟ କୁମାର ଗୋଗି, ମୁଖ୍ୟ ବନ ସଂରକ୍ଷକ କୃଷ୍ଣ ଉଡ଼ାପୁଡ଼ି ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୂହର ଛାତ୍ରଛାତ୍ରୀମାନେ।

ପାର୍କ ଉଦ୍‌ଘାଟନ ଏବଂ ବେଲୁନ୍‌ ଛଡ଼ା ଯିବା ପରେ ଅତିଥିମାନଙ୍କୁ ମୁଖ୍ୟ ମଞ୍ଚକୁ ବାଟ ପାଛୋଟି ନିଆଯାଇଥିଲା। କାର୍ଯ୍ୟକ୍ରମର ଭିଡିଓ ଉତ୍ତୋଳ କରିବାକୁ ଜଣେ ଘରୋଇ କ୍ୟାମେରାମ୍ୟାନ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଭଲ ଫଟୋ ଉଠାଇବା ପାଇଁ ସେ କ୍ୟାମେରାମ୍ୟାନ୍‌ ଗୋଟାଏ ଡ୍ରୋନ୍‌ କ୍ୟାମେରା ଛାଡ଼ି ଦେଲେ।

ଡ୍ରୋନ୍‌ କ୍ୟାମେରାଟି ଉଡୁ ଉଡୁ ମହୁଫେଣା ଥିବା ଗୋଟାଏ ଗଛପାଖ ଦେଇ ଚାଲି ଯାଇଥିଲା। ଫଳରେ ଫେଣାରୁ ହଜାର ହଜାର ମହୁମାଛି ବାହାରି ଉପସ୍ଥିତ ଲୋକମାନଙ୍କୁ ବିନ୍ଧି ପକାଇଥିଲେ। ଜଙ୍ଗଲ ମନ୍ତ୍ରୀ ରାମନାଥ ରାୟ, ବନ୍ୟ ଅଧିକାରୀ ଏବଂ ଛାତ୍ରଛାତ୍ରୀମାନେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ।

ସଭାସ୍ଥଳରେ ଉପସ୍ଥିତ ଥିବା ସପ୍ତମ ଶ୍ରେଣୀର ଛାତ୍ର ବୀରେଶ ଗାଡ଼ିକୋପ୍ପ କହନ୍ତି: ମହୁମାଛିମାନେ ବିନ୍ଧିବାରୁ ଆମେ ଲୁଚିବାକୁ ଦୌଡ଼ି ଗଲୁ। କିନ୍ତୁ, ବହୁତ ପିଲାଙ୍କୁ ମହୁମାଛିମାନେ ବିନ୍ଧି ପକାଇ ଥିଲେ।

ଜିଲ୍ଲା ବନ ସଂରକ୍ଷକ ବାସବରାଜ ପାଟିଲ୍‌ କହନ୍ତି: ଡ୍ରୋନ୍‌ର ଶବ୍ଦରେ ମହୁମାଛିମାନେ ଅଥୟ ହୋଇ ଯାଇଥିଲେ। ଜଙ୍ଗଲ ମନ୍ତ୍ରୀଙ୍କୁ ମାତ୍ର ଗୋଟାଏ ମହୁମାଛି ମାରିଛି। ବେଲାଗାଓ୍ଵି ରେଞ୍ଜ୍‌ର ବନ ଅଧିକାରୀ ଶ୍ରୀନାଥ କାଦୋଲକର୍‌ ଏବଂ ଉପ ବନ ସଂରକ୍ଷକ କେ ଏସ୍‌ ହିରେମାତ୍‌ଙ୍କୁ ଗୁଡ଼ାଏ ମହୁମାଛି ମାରି ଥିବାରୁ ସେମାନେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇ ଥିଲା। ଏବେ ସେମାନେ ବିପଦ ମୁକ୍ତ।

୩୦୦ ଏକର ଜଙ୍ଗଲୀ ଜମିରୁ ୬୦ ଏକର ଜମିକୁ ପାର୍କ କରାଯାଇଛି। ‘ସାଲୁମାରାଡ଼ା ଟିମ୍ମାକ୍କା’ ନାମରେ ସରକାର ୭୩ ନିର୍ବାଚନ ମଣ୍ଡଳୀରେ ଗଛ ଉଦ୍ୟାନ କରିଛନ୍ତି। ରାଜ୍ୟର ସବୁ ନିର୍ବଚନ ମଣ୍ଡଳୀରେ ଏମିତିକା ପାର୍କ ବା ଉଦ୍ୟାନ ତିଆରି କରାଯିବ।

ସମ୍ବନ୍ଧିତ ଖବର