ତାଇଓ୍ବାନକୁ ନେଇ ଏକ ଯୁଦ୍ଧ ଆଡ଼କୁ ମୁହାଁଉଛି କି ଏସିଆ ?

ନୂଆଦିଲ୍ଲୀ : ତାଇଓ୍ବାନ ପ୍ରସଙ୍ଗରେ ପୁଣି ଥରେ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଚୀନ ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସେନା ତାଇଓ୍ବାନକୁ ସହାୟତା କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିବା ଓ ତାହାକୁ ନେଇ ଚୀନର ତୀବ୍ର ପ୍ରତିକ୍ରିୟା ପରେ ସ୍ଥିତି ବିସ୍ଫୋରକ ରୂପ ନେଇଛି ।

ଏଣୁ ଏଠାରେ ପ୍ରଶ୍ନ ଉଠୁଛି ୟୁରୋପ ପରି ଏସିଆ ବି ଏକ ଯୁଦ୍ଧ ଆଡ଼କୁ ମୁହାଁଉଛି କି ? ନିକଟରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ତାଇଓ୍ବାନ ଅଧିକାର ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହା ପରେ ତାଇଓ୍ବାନକୁ ନେଇ ଆଶଙ୍କା ବଢିଯାଇଛି । ପୁଣି ତାଇଓ୍ବାନକୁ ରକ୍ଷା କରିବାକୁ ବାଇଡେନଙ୍କ ଖୋଲାଖୋଲି ଘୋଷଣା ଏକ ଜଟିଳ ସ୍ଥିତି ଆଡ଼କୁ ନିର୍ଦ୍ଦେଶ କରୁଛି ।

ଚୀନର ପୂର୍ବ ରେକର୍ଡ

ପୂର୍ବରୁ ୧୯୬୨ ମସିହାରେ କ୍ୟୁବା ମିସାଇଲ ସଂକଟକୁ ନେଇ ଆମେରିକା ଓ ରୁଷ ମୁହାଁମୁହିଁ ଥିବାବେଳେ ସମଗ୍ର ବିଶ୍ବର ଦୃଷ୍ଟି କ୍ୟୁବା ଉପରେ ଥିଲା । ଏହାର ସୁଯୋଗ ନେଇ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା । କିନ୍ତୁ କ୍ୟୁବା ସଂକଟ ଶେଷ ହେବା ପରେ ଚୀନ ହଠାତ ଯୁଦ୍ଧ ବିରତି ଘୋଷଣା କରିଥିଲା । ଏବେ ୟୁକ୍ରେନ ସଂକଟକୁ ନେଇ ଆମେରିକା ବ୍ୟସ୍ତ ରହିଛି । ଏହାର ଫାଇଦା ନେଇ ତାଇଓ୍ବାନ ଉପକୂଳରେ ଚୀନର ଗତିବିଧି ବଢିଯାଇଛି ।

 

ତାଇଓ୍ବାନକୁ ଅଧିକାର କରିବା ଚୀନ ପାଇଁ ସହଜ ହେବ କି ?

ସାମରିକ ବିଶେଷଜ୍ଞଙ୍କ ମତରେ ତାଇଓ୍ବାନକୁ ଅଧିକାର କରିବା ଚୀନ ପାଇଁ ସହଜ ହେବ ନାହିଁ । କାରଣ ୟୁକ୍ରେନ ପରି ଦେଶ ଉପରେ ଆକ୍ରମଣ କରି ରୁଷ ପରି ମିଲିଟାରି ସୁପରପାଓ୍ବାର ଗତ ୩ ମାସ ହେଲା ନୟାନ୍ତ ହୋଇଗଲାଣି । ମାତ୍ର ତାଇଓ୍ବାନ ଆମେରିକା ପ୍ରଦତ୍ତ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ବିମାନ, ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ସଜ୍ଜିତ । ଏଣୁ ଆମେରିକାର ସହାୟତା ପହଞ୍ଚିବା ପର୍ଯ୍ୟନ୍ତ ତାଇଓ୍ବାନ ଚୀନକୁ ରୋକିବାକୁ ସମର୍ଥ ହେବ । ପୁଣି ରୁଷ ଓ ୟୁକ୍ରେନ ମଧ୍ୟରେ ସ୍ଥଳଭାଗ ଥିବାରୁ ରୁଷର ଟ୍ୟାଙ୍କଗୁଡ଼ିକ ସହଜରେ ସୀମା ଅତିକ୍ରମ କରିଗଲେ । କିନ୍ତୁ ଚୀନ ଓ ତାଇଓ୍ବାନ ମଧ୍ୟରେ ୧୦୦ ମାଇଲର ଏକ ସମୁଦ୍ର ରହିଛି । ଏଣୁ ଚୀନ ସେନା ଗୋପନରେ ସେଠାରେ ପହଞ୍ଚିବା ସମ୍ଭବ ନୁହେଁ ।

 

ସମ୍ବନ୍ଧିତ ଖବର