କାବୁଲ : ଆଫଗାନିସ୍ତାନକୁ ଅଧିକାର କରିବାକୁ ତାଲିବାନର ଉଦ୍ୟମ ଜାରି ରହିଛି । ତେବେ ତାଲିବାନର ଏହି ଅଭିଯାନ ଆଗରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି ଆଫଗାନ ସେନା । ସେନା ପକ୍ଷରୁ ତାଲିବାନର ବିଭିନ୍ନ ଠିକଣା ଉପରେ ପ୍ରବଳ ବିମାନ ଆକ୍ରମଣ କରାଯାଉଛି । ଏହା ଫଳରେ ତାଲିବାନ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଫଗାନ ସେନା ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ଆକ୍ରମଣ କରାଯାଇଛି । ବିଶେଷକରି ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନରେ ଥିବା ହେଲମଣ୍ଡ ରାଜ୍ୟର ରାଜଧାନୀ ଲସକର ଗା’ ସହର ଉପରେ ପ୍ରବଳ ବୋମାମାଡ଼ କରାଯାଇଛି । ଏହି ସହରର ଏକ ବଡ଼ ଅଂଚଳକୁ ତାଲିବାନ ଅଧିକାର କରିସାରିଥିବାରୁ ତାହାକୁ ମୁକ୍ତ କରିବାକୁ ଏହି ବୋମା ମାଡ଼ କରାଯାଇଛି । ସହରର ରେଡ଼ିଓ ଓ ଟେଲିଭିଜନ କେନ୍ଦ୍ର ତାଲିବାନ କବଜାରେ ଥିବାରୁ ଏସବୁ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରାଯାଇଛି । ଅନ୍ୟପକ୍ଷରେ ଉତ୍ତର ଆଫଗାନିସ୍ତାନର ସର-ଏ-ପୁଲ ସହରକୁ ତାଲିବାନ ଅଧିକାର କରିନେଇଛି ।
ଗତ ଏପ୍ରିଲ ମାସରୁ ଆମେରିକୀୟ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବା ପରେ ତାଲିବାନ ଆଫଗାନିସ୍ତାନର ଅଧିକାଂଶ ରାଜ୍ୟକୁ ଅଧିକାର କରି ନେଇଛି । ତେବେ କାବୁଲ ଏବେ ବି ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।