ଦିଲ୍ଲୀ ଦଙ୍ଗା : ହେଡ୍‌ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ପଥର ମାଡ଼ ଯୋଗୁଁ ନୁହେଁ, ଗୁଳି ଚାଳନା ଯୋଗୁଁ ହୋଇଛି

ନୂଆଦିଲ୍ଲୀ : ସୋମବାରଦିନ ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାବେଳେ ପ୍ରାଣ ହରାଇଥିବା ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ତାଙ୍କ ମୃତ୍ୟୁ ପଥର ମାଡ଼ ନୁହେଁ, ଗୁଳି ଚାଳନା ଯୋଗୁଁ ହୋଇଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ।
ଗତ କାଲି ଦିଲ୍ଲୀର ଦୟାଲଗଞ୍ଜ ଇଲାକାରେ ହିଂସା ହେବା ସମୟରେ ୪୨ ବର୍ଷୀୟ ଏହି ପୁଲିସ କର୍ମଚାରୀ ସେଠାରେ ମୁତୟନ ଥିଲେ । ଦଙ୍ଗା ଅଟକାଇବା ବେଳେ ତାଙ୍କୁ ଗୁଳି ମରାଯାଇଥିବା ଅନୁମାନ କରାଯାଉଛି । ଗୁଳି ତାଙ୍କ ବାମପଟ କାନ୍ଧରେ ପ୍ରବେଶ କରି ଡାହାଣପଟ ଛାତିପର୍ଯ୍ୟନ୍ତ ଯାଇଥିଲା । ଶବ ବ୍ୟବଚ୍ଛେଦବେଳେ ଡାହାଣପଟ କାନ୍ଧ ନିକଟରୁ ଏହି ଗୁଳି ବାହାରିଛି । ଅନ୍ୟପକ୍ଷରେ ଏହି ହିଂସାରେ ଏପର୍ଯ୍ୟନ୍ତ ମୋଟ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜାଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଯୋଗ ଦେଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦିଲ୍ଲୀରେ ଅଧିକ ସଂଖ୍ୟକ ସୁରକ୍ଷାବଳ ମୁତୟନ କରାଯିବ ବୋଲି ଶାହା କହିଛନ୍ତି । ତେବେ ସେନା ଡକାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର