ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେବା ସତ୍ତ୍ବେ ବିଶପ୍ ପଦରୁ ଇସ୍ତଫା ଦେଲେ ଫ୍ରାଙ୍କୋ ମୁଲାକ୍କଲ

କୋଚି : ଦୁଷ୍କର୍ମ ଅଭିଯୋଗରେ ୨୦୧୮ରେ ବିଶପ ଦାୟିତ୍ୱରୁ ସାମୟିକ ଭାବେ ମୁକ୍ତ ହୋଇଥିବା ଫ୍ରାଙ୍କୋ ମୁଲାକ୍କଲ ଜଳନ୍ଧରର ବିଶପ୍ ପଦରୁ ଇସ୍ତଫା ଦେଇଛନ୍ତି । ପୋପ ଫ୍ରାନ୍ସିସ୍ ଅବସରପ୍ରାପ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଗତ ବର୍ଷ ସେ ଏହି ମାମଲାରୁ ଦୋଷମୁକ୍ତ ହୋଇଥିଲେ ବି ଇସ୍ତଫା ଦେଇଛନ୍ତି ।

ମୁଲାକ୍କଲ ଏକ ଭିଡିଓ ମାଧ୍ୟମରେ ତାଙ୍କ ଇସ୍ତଫାକୁ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ ଆଜି (ଜୁନ୧) ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ଫ୍ରାଙ୍କୋ ମୁଲାକ୍କଲ ବର୍ତ୍ତମାନ ଜଳନ୍ଧରର ବିଶପ୍ ଇମେରିଟାସ୍ ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୮ ତାରିଖରେ ସେ ପୋପଙ୍କୁ ଭେଟିଥିଲେ ।

ଜଣେ ନନ୍ ମୁଲାକ୍କଲଙ୍କ ବିରୋଧରେ ୨୦୧୮ରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କେରଳର କୋଟ୍ଟାୟମର ଏକ ଅଦାଲତ ଗତ ବର୍ଷ ଜାନୁଆରୀରେ ଏହି ମାମଲାରେ ମୁଲାକ୍କଲଙ୍କୁ ଦୋଷମୁକ୍ତ କରିଥିଲେ। କୋଟ୍ଟାୟମର ଅତିରିକ୍ତ ଜିଲ୍ଲା କୋର୍ଟର ବିଚାରପତି ତାଙ୍କ ଆଦେଶରେ କହିଥିଲେ ଯେ ପୀଡ଼ିତା ତାଙ୍କ ବୟାନ ବଦଳାଉଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ମୁଲାକ୍କଲ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ନନ୍ ୨୦୧୮ ଜୁନ୍ ମାସରେ ଥାନାରେ ଅଭିଯୋଗ କରିଥିଲେ।

ଜୁନ୍ ୨୦୧୮ରେ କୋଟ୍ଟାୟମ ପୁଲିସ ମୁଲାକ୍କଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ୨୦୧୮ ସେପ୍ଟେମ୍ବରରେ ଏହି ମାମଲାରେ ମୁଲାକ୍କଲଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗିରଫ କରିଥିଲା। ଏହି ମାମଲାର ଶୁଣାଣି ନଭେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ ୧୦, ୨୦୨୨ରେ ମୁଲାକ୍କଲଙ୍କୁ ଦୋଷମୁକ୍ତ କରିଥିଲେ। ଏହି ମାମଲାରେ ନନ୍ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର