ଦେଶବ୍ୟାପୀ ଡାକ୍ତର ଧର୍ମଘଟ, ଚିକିତ୍ସା ସେବା ବ୍ୟାହତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା ଆଜି ଅନେକ ମାତ୍ରାରେ ସଫଳ ହୋଇଛି। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ସମେତ ବିଭିନ୍ନ ରାଜ୍ୟରେ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ବ୍ୟାହତ ହୋଇଛି। ପୂର୍ବରୁ ଦିଲ୍ଲୀସ୍ଥିତ ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ଏହି ଆନ୍ଦୋଳନରେ ସାମିଲ ହେବନାହିଁ ବୋଲି ନିଷ୍ପତ୍ତି ନେଇଥି‌ଲେ ମଧ୍ୟ ସୋମବାର ଭୋରୁ ଏହାର ଟ୍ରମା କେୟାର ସେଣ୍ଟରରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ହେବା ଫଳରେ ସେମାନେ ମଧ୍ୟାହ୍ନରୁ ସମସ୍ତ ପ୍ରକାର ଅଣ-ଜରୁରୀ ସେବା ଯୋଗାଇ ନଦେବାକୁ ଘୋଷଣା କରି ଧର୍ମଘଟରେ ସାମିଲ ହୋଇଥିଲେ। ଏମ୍ସର ଡାକ୍ତରମାନେ କ୍ୟାମ୍ପସ ପରିସରରେ ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ପୂରଣ କରିବା ପାଇଁ ରେସିଡେଣ୍ଟ ଡାକ୍ତର ସଂଘ ଦାବି କରିଥିଲା।
ଆଇଏମଏର ସଦସ୍ୟମାନେ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଓପିଡି, ନିୟମିତ ଓଟି ସେବା ଏବଂ ୱାର୍ଡ ପରିଦର୍ଶନରୁ ଡାକ୍ତରମାାନେ ବିରତ ରହିଛନ୍ତି ବୋଲି ଆଇଏମଏ କହିଛି। କେବଳ ଜରୁରୀକାଳୀନ ଏବଂ କାଜୁଆଲଟି ସେବା ଜାରି ରହିଥିଲା। ମହାରାଷ୍ଟ୍ରରେ ୪୦ ହଜାରରୁ ଅଧିକ ଡାକ୍ତର ସେବାରୁ ବିରତ ରହିଛନ୍ତି। ସେହିଭଳି ଅନ୍ୟ ରାଜ୍ୟରେ ମଧ୍ୟ ସେବା ବ୍ୟାହତ ହୋଇଛି।

ସୁପ୍ରିମ୍‌ କୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୁପ୍ରିମକୋର୍ଟରେ ହୋଇଥବା ଆବେଦନର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ହେବ। ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି ୧୮ ତାରିଖରେ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଦେଶରେ ସରକାରୀ ଡାକ୍ତରଖାନା ଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଏହି ଆବେଦନ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏ ଏ ଶ୍ରୀବାସ୍ତବ ମାମଲାର ଜରୁରୀ ଶୁଣାଣି ଦାବି କରିଥିଲେ।

ସମ୍ବନ୍ଧିତ ଖବର