ନାଟକରେ ଅଭିନୟ କରିବାକୁ ଭଲ ପାଉଥିଲେ ମୋଦୀ

‘ପିଲୁ ଫୁଲ୍’ ନାମକ ଏକ ନାଟକ ଗୁଜରାଟୀ ଭାଷାରେ ଲେଖିଥିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜଣେ ସଫଳ ଏବଂ ଲୋକପ୍ରିୟ ରାଜନେତା। ତେବେ ତାଙ୍କ ଜୀବନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଏବେ ପଦାକୁ ଆସିଛି। ସେ ଜଣେ ନାଟ୍ୟକାର ଏବଂ ଅଭିନେତା ମଧ୍ୟ। ପିଲାଦିନେ ସେ ନାଟକ ଲେଖିବାକୁ ଏବଂ ନାଟକରେ ଅଭିନୟ କରିବାକୁ ଭଲ ପାଉଥିଲେ। ବିଦ୍ୟାଳୟରେ ପଢ଼ିବା‌ବେଳେ ସେ ‘ପିଲୁ ଫୁଲ୍’ ନାମକ ଏକ ନାଟକ ଗୁଜରାଟୀ ଭାଷାରେ ଲେଖିଥିଲେ। ପିଲୁ ଫୁଲ୍‌ର ଅର୍ଥ ହେଉଛି ହଳଦିଆ ଫୁଲ। ଏମ ଭି କାମାଥ ଏବଂ କାଳିନ୍ଦୀ ରନ୍ଦେରିଙ୍କ ଦ୍ବାରା ଲିଖିତ ଏବଂ ୨୦୧୩ ମସିହାରେ ଲିଖିତ ମୋଦୀଙ୍କ ଜୀବନୀ ପୁସ୍ତକ ‘ ଦ ‌ମ୍ୟାନ ଅଫ୍ ଦି ମୋମେଣ୍ଟ: ନରେନ୍ଦ୍ର ମୋଦୀ’ରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ମୋଦୀ ନିଜେ ମଧ୍ୟ ତାଙ୍କ ପୁସ୍ତକ ‘ଏକଜାମ ୱାରିୟର୍ସ’ରେ ଅଭିନୟ ଏବଂ ଡ୍ରାମା ପ୍ରତି ରହିଥିବା ଦୁର୍ବଳତା ବିଷୟରେ ଲେଖିଛନ୍ତି। ୧୩ କିମ୍ବା ୧୪ ବର୍ଷ ବୟସ ହୋଇଥିବାବେଳେ ସେ ପିଲୁ ଫୁଲ୍‌ ନାଟକ ଲେଖି ତାହାକୁ ନିଜ ନିର୍ଦ୍ଦେଶନା ଏବଂ ଅଭିନୟରେ ପରିବେଷଣ କରିଥିଲେ। ତାହା ଏକକ ଅଭିନୟ ଥିଲା। ଅସ୍ପୃଶ୍ୟତା ପ୍ରସଙ୍ଗକୁ ଆଧାର କରି ସେ ଏହି ନାଟକ ଲେଖିଥିଲେ। ନାଟକ ପରିବେଷଣରୁ ସଂଗୃହୀତ ପାଣ୍ଠିରେ ତାଙ୍କ ବିଦ୍ୟାଳୟରେ ଭାଙ୍ଗି ପଡ଼ିଥିବା ପାଚେରି ନିର୍ମାଣ ହୋଇଥିଲା। ତାଙ୍କ ଘର ଭଦନଗରରେ ଏହି ‌ନାଟକ ଲୋକପ୍ରିୟତା ହାସଲ କରିଥିଲା।

ସମ୍ବନ୍ଧିତ ଖବର