ନୂଆ ଶିକ୍ଷା ନୀତି ପାଇଁ ବଜେଟ୍ ସହାୟକ ହେବ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି ଯେ, ୨୦୨୨-୨୩ କେନ୍ଦ୍ର ବ‌ଜେଟ ନୂଆ ଶିକ୍ଷାନୀତିକୁ ଦେଶରେ କାର୍ଯ୍ୟକାରୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଶିକ୍ଷା ଉପରେ କେନ୍ଦ୍ର ବଜେଟର ସକାରାତ୍ମକ ପ୍ରଭାବ ଶୀର୍ଷକ ଅନଲାଇନ ଆଲୋଚନାଚକ୍ରରେ ଭାଷଣ ଦେଇ ମୋଦୀ କହିଛନ୍ତି, ଶିକ୍ଷା କ୍ଷେତ୍ର ସହ ସମ୍ପର୍କିତ ପାଞ୍ଚଟି ଜିନିଷ ଉପରେ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ସେଗୁଡ଼ିକ ହେଉଛି: ଉଚ୍ଚମାନ ଶିକ୍ଷାର ବିଶ୍ବୀକରଣ, ଡିଜିଟାଲ ସ୍କିଲିଂ ଇକୋସିଷ୍ଟମର ବିକାଶ, ନଗର ଯୋଜନା ଓ ଡିଜାଇନ, ବିଶ୍ବ ମାନର ବିଶ୍ବବିଦ୍ୟାଳୟ ଓ ଏଭିଜିସି ଶିଳ୍ପ ନିର୍ମାଣର ଆନ୍ତର୍ଜାତିକୀକରଣ। ପ୍ରଧାନମନ୍ତ୍ରୀ କହିଲେ, ସରକାର ଡିଜିଟାଲ ସଂଯୋଗୀକରଣ ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ବାରା ଡିଜିଟାଲ ଡିଭାଇଡ୍ ଦୂର ହୋଇପାରିବ। ଦେଶରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇବା ସହ ଡିଜିଟାଲ ଡିଭାଇଡ୍ ହ୍ରାସ ପାଉଛି। ଚଳିତବର୍ଷର ବଜେଟରେ ଜାତୀୟ ଡିଜିଟାଲ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି, ଯାହା ଏକ ଅଭିନବ ପ୍ରୟାସ। ଦେଶରେ ଇ-ବିଦ୍ୟା, ୱାନ୍ କ୍ଲାସ୍ ୱାନ୍ ଚ୍ୟାନେଲ, ଡିଜିଟାଲ ଲ୍ୟାବ୍ ଏବଂ ଡିଜିଟାଲ ବିଶ୍ବବିଦ୍ୟାଳୟ ଆଦି ନିମନ୍ତେ ଭିତ୍ତିଭୂମିର ବିକାଶ ସମସ୍ତଙ୍କ ଲାଗି ଶିକ୍ଷାକୁ ସୁନିଶ୍ଚିତ କରିବ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର