ନେପାଳ ପିଏମ୍‌ଓ ପର୍ଯ୍ୟନ୍ତ ରହିଛି ଚୀନ୍‌ ରାଷ୍ଟ୍ରଦୂତଙ୍କ ଦଖଲ

ନୂଆଦିଲ୍ଲୀ: ନିକଟରେ ନେପାଳ ପକ୍ଷରୁ ଜାରି ହୋଇଥିବା ଏକ ବିବାଦୀୟ ମାନଚିତ୍ର ପଛରେ ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ପ୍ରରୋଚନା ରହିଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସୂତ୍ର ଅନୁସାରେ, ନେପାଳର ସେନାଧକ୍ଷ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପ୍ପାଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଅଫିସ ପର୍ଯ୍ୟନ୍ତ ଚୀନ ରାଷ୍ଟ୍ରଦୂତ ହୋ ୟାଙ୍କିଙ୍କର ରହିଛି ଅବାଧ ପ୍ରବେଶ। ସୁଶ୍ରୀ ୟାଙ୍କି ନେପାଳରେ ଏତେ ପ୍ରଭାବଶାଳୀ ଯେ ନେପାଳର ଯେ କୌଣସି କ୍ଷେତ୍ରକୁ ବିନା ବାଧାରେ ଯାତାୟାତ କରିପାରନ୍ତି। ଯଦିଓ ୟାଙ୍କି ଏହାକୁ ଖଣ୍ଡନ କରିଛନ୍ତି, ତଥାପି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରକୁ ଅଣଦେଖା କରାଯାଇପାରିବ ନାହିଁ।

ନେପାଳର ନୀତିଗତ ମାମଲାରେ ମଧ୍ୟ ୟାଙ୍କିଙ୍କ ପ୍ରଭାବ ନଜର ଆସୁଛି। ପ୍ରଧାନମନ୍ତ୍ରୀ ଓଲିଙ୍କ ଭାରତ ବିରୋଧୀ ମନୋଭାବ, ଭାରତୀୟ କ୍ଷେତ୍ର ଲିପୁଲେଖ, କାଲାପାନି ଓ ଲିପିଆଧୁରକୁ ନିଜର ଦର୍ଶାଇ ନେପାଳ ଯେଉଁ ମାନଚିତ୍ର ଜାରି କରିଛି ତା ପଛରେ ୟାଙ୍କିଙ୍କର ବୁଦ୍ଧି ରହିଛି ବୋଲି କୁହାଯାଉଛି। ନେପାଳର କମ୍ୟୁନିଷ୍ଟ ପାର୍ଟି ସରକାରରେ ୟାଙ୍କିଙ୍କ ପ୍ରଭାବ ଅନତିକ୍ରମ୍ୟ ହୋଇପଡ଼ିଛି। ଗୋଟିଏ ଉଦାହରଣରୁ ଏହା ସ୍ପଷ୍ଟ ହେବ। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ସ୍ୱତନ୍ତ୍ର ଭୋଜିରେ ଆପ୍ୟାୟିତ କଲାବେଳକୁ ପର୍ଯ୍ୟଟନ ମନ୍ତ୍ରୀ ଯୋଗେଶ ଭଟ୍ଟରାୟ ୟାଙ୍କିଙ୍କ ସହ ଫଟୋ ଉଠାଇ ନିଜକୁ କୃତ୍ୟକୃତ୍ୟ ମଣୁଛନ୍ତି। ଭାରତ ସହିତ ସମ୍ବନ୍ଧକୁ ନେଇ ଯେତେବେଳେ ଶାସକ କମ୍ୟୁନିଷ୍ଟ ପାର୍ଟିରେ ମତଭେଦ ଆରମ୍ଭ ହେଲା, ସେତେବେଳେ ୟାଙ୍କି ପ୍ରଧାନମନ୍ତ୍ରୀ ଓଲି ଓ ପୂର୍ବ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ଭେଟି ପରସ୍ପର ବିରୋଧରେ ନ ଲଢ଼ିବାକୁ ପରାମର୍ଶ ଦେଇଥିଲେ।

ୟାଙ୍କିଙ୍କ ପ୍ରଭାବ ନେପାଳ ସୈନ୍ୟବାହିନୀ ପର୍ଯ୍ୟନ୍ତ ବିସ୍ତୃତ। ନେପାଳ ସେନାଧ୍ୟକ୍ଷ ଜେନେରାଲ ଥାପ୍ପାଙ୍କ ସହିତ ୟାଙ୍କିଙ୍କ ଉତ୍ତମ ସମ୍ପର୍କ ରହିଥିବା କୁହାଯାଉଛି। ଏହାର ଏକ ଝଲକ ମେ ୧୩ରେ ଦେଖିବାକୁ ମିଳିଥିଲା। ସେହିଦିନ ୟାଙ୍କି ନିଜ ଦେଶର ସେନା ପିଏଲ୍‌ଏର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଯେଉଁଥିରେ ଜେନେରାଲ ଥାପ୍ପା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଧିକନ୍ତୁ ପିଏଲ୍‌ଏ ପକ୍ଷରୁ ପଠାଯାଇଥିବା ବିମାନଭର୍ତ୍ତି ଡାକ୍ତରୀ ଉପକରଣକୁ ଯାଙ୍କି ଜେନେରାଲ ଥାପାଙ୍କୁ ହସ୍ତାନ୍ତର କରିଥିଲେ। ଜଣେ ମଡେଲ ଭଳି ସୁନ୍ଦରୀ ୟାଙ୍କି ନେପାଳୀ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା। ନେପାଳରେ କରୋନା ସଂକ୍ରମଣର ପ୍ରାଥମିକ ପର୍ଯ୍ୟାୟରେ ୟାଙ୍କି ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଓ ନେପାଳ ରାଷ୍ଟ୍ରପତି ଭଣ୍ଡାରୀଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପର ବ୍ୟବସ୍ଥା କରାଇଥିଲେ। କୁହାଯାଉଛି ଅଳ୍ପ ବୟସରେ ୟାଙ୍କି ବର୍ତ୍ତମାନ ପର୍ଯ୍ୟନ୍ତ ନେପାଳରେ ଅବସ୍ଥାପିତ ସବୁଠାରୁ ପ୍ରଭାବୀ ରାଷ୍ଟ୍ରଦୂତ ଭାବେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର