ନ୍ୟାୟ ପାଇଁ ନେହୁରା.. ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ଦୁଷ୍କର୍ମ ପୀଡିତା

ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଦେଶରେ ଦୁଷ୍କର୍ମ ଘଟଣା କମିବାର ନାଁ ଧରୁନାହିଁ । ଉତ୍ତରପ୍ରଦେଶ, ହରିୟାଣା ଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ସବୁଠାରେ ପ୍ରାୟ ପ୍ରତିଦିନ ଏପରି ଘଟଣା ସାମନାକୁ ଆସୁଛି । ଧର୍ଷଣ ପାଇଁ ଆଇନରେ କଠୋର ଦଣ୍ଡବିଧାନ ଥିଲେ ମଧ୍ୟ ବୋଧହୁଏ ଅପରାଧୀମାନଙ୍କର ସେଥିପ୍ରତି ଭୂକ୍ଷେପ ନାହିଁ । ଫଳରେ ପୀଡ଼ିତାମାନଙ୍କୁ ନ୍ୟାୟ ମିଳିପାରୁନାହିଁ ଓ ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି ।

ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଜଣେ ଦୁଷ୍କର୍ମ ପୀଡ଼ିତା ଇଂଜିନିୟରିଂ ଛାତ୍ରୀ ଗତ ବର୍ଷେ ହେଲା ନ୍ୟାୟ ପାଇଁ ସବୁଆଡେ ବୁଲି ବୁଲି ନିରାଶ ହେବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନ୍ୟାୟ ପାଇଁ ନେହୁରା ହୋଇ ନିଜ ରକ୍ତରେ ଏକ ଚିଠି ଲେଖିଛନ୍ତି । ଆଉ ଏକ ରକ୍ତ ଚିଠି ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଲେଖିଛନ୍ତି ।

“ଦୟାକରି ମୁଁ ଓ ମୋ ଭଉଣୀକୁ ଉକ୍ତ ଅପରାଧୀ କବଳରୁ ବଞ୍ଚାନ୍ତୁ । ସେ ଏକ ପ୍ରଭାବଶାଳୀ ପରିବାରର ପିଲା । ସେ ଓ ତାର ସାଥୀମାନେ ମୁଁ ଓ ମୋ ପରିବାରକୁ ହଇରାଣ କରିବା ସହ ପୋଲିସରେ କରାଯାଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ବାରମ୍ବାର ଧମକ ଦେଉଛନ୍ତି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ସେମାନେ ଆମକୁ ଧମକ ଦେଉଛନ୍ତି । ଆମେ ଭୟରେ ଘରୁ ବାହାରକୁ ବାହାରିବା ବନ୍ଦ କରିଦେଇଛୁ ।”
ଏହି ଘଟଣାଟି ଗତ ବର୍ଷ ଜାନୁୟାରୀମାସରେ ଉତ୍ତରପ୍ରଦେଶର ରାୟବରେଲୀରେ ଘଟିଥିଲା । ବହୁ ବିବାଦ ପରେ ମାର୍ଚ୍ଚମାସରେ ପୋଲିସ୍‌ ଏଫଆଇଆର ଗ୍ରହଣ କରିଥିଲା ।

ସମ୍ବନ୍ଧିତ ଖବର