ପଞ୍ଜାବ କଂଗ୍ରେସରେ ଗୋଷ୍ଠୀ କନ୍ଦଳ : ଆଜି ଦୁଇ ନେତାଙ୍କ ଶକ୍ତି ପ୍ରଦର୍ଶନ, ସିଦ୍ଧୁଙ୍କ ବାସଭବନରେ ପହଂଚିଲେ ୬୨ ବିଧାୟକ

ଚଣ୍ଡିଗଡ଼ : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବି କଂଗ୍ରେସ କନ୍ଦଳ ମେଣ୍ଟିବାର ନା ନେଉନି । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁ ମନୋନୀତ ହେବା ପରେ ସେ ନିଜର ସମର୍ଥକଙ୍କୁ ଭେଟିବାରେ ଲାଗିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ଦୁର୍ଗ ମଜବୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଦୁଇ ନେତା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି କ୍ରମରେ ଆଜି ସିଦ୍ଧୁ ଅମୃତସର ବାସଭବନରେ କଂଗ୍ରେସ ବିଧାୟକ ମାନଙ୍କ ପାଇଁ ଏକ ଭୋଜିର ବ୍ୟବସ୍ଥା କରିଥିବା ବେଳେ ତାଙ୍କ ପାଖରେ ୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଗତକାଲି ସିଦ୍ଧୁ ଅମୃତସରରେ ପହଂଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ଦଳୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜିତ କରିଛନ୍ତି । ହେଲେ ଏହି କାର୍ଯ୍ୟକ୍ରମକୁ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ । ଏହି ଭୋଜି କାର୍ଯ୍ୟକ୍ରମ ମାଧ୍ୟମରେ କ୍ୟାପଟେନ୍ କେନ୍ଦ୍ରୀୟ ନେତୃତ୍ୱଙ୍କୁ କିଛି ସନ୍ଦେଶ ଦେବେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବି କ୍ୟାପଟେନ୍ ତାଙ୍କୁ ଶୁଭେଚ୍ଛା ଜଣାଇ ନଥିବାରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅମରିନ୍ଦର ସିଂ ଖୁସି ନଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ କ୍ୟାପଟେନ୍ ସ୍ପଷ୍ଟ କରିଛନ୍ତି କି, ଯେତେବେଳେ ପର୍ଯ୍ୟନ୍ତ ସାର୍ବଜନୀକ ଭାବେ ସିଦ୍ଧୁ ତାଙ୍କୁ କ୍ଷମା ମାଗି ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେ ସିଦ୍ଧୁଙ୍କୁ ଭେଟିବେ ନାହିଁ ।

ସମ୍ବନ୍ଧିତ ଖବର