‘ପଦ୍ମାବତୀ’କୁ ବ୍ରିଟିସ ସେନ୍‌ସର ବୋର୍ଡର ସ୍ୱୀକୃତି

ପହିଲାରେ ବ୍ରିଟେନ୍‌ରେ ରିଲିଜ୍‌ ହେବ!

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ କେନ୍ଦ୍ର କରି ଭାରତର ବିଭିନ୍ନ ରାଜ୍ୟରେ ବିବାଦ ଓ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ପ୍ରଥମ ଥର ଲାଗି ବ୍ରିଟେନ୍‌ରେ ‘ପଦ୍ମାବତୀ’କୁ ସମର୍ଥନ ମିଳିଛି। ବ୍ରିଟେନ୍‌ ଦର୍ଶକମାନେ ‘ପଦ୍ମାବତୀ’ ଦେଖିବା ଲାଗି ବ୍ରିଟିସ ସେନ୍‌ସର ବୋର୍ଡ ପ୍ରମାଣପତ୍ର ସହ ସ୍ୱୀକୃତି ପ୍ରଦାନ କରିଛନ୍ତି। ବ୍ରିଟିସ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ବିବିଏଫ୍‌ସି) ଫିଲ୍ମର କୌଣସି ଗୋଟିଏ ହେଲେ ଦୃଶ୍ୟ ନକାଟି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧ ତାରିଖରେ ବ୍ରିଟେନ୍‌ରେ ଫିଲ୍ମ ମୁକ୍ତିଲାଭ କରିବ ବୋଲି ବିବିଏଫ୍‌ସି ଅଧିକାରୀମାନେ କହିଛନ୍ତି। ତେବେ ଫିଲ୍ମ ନିର୍ମାତାମାନେ ଭାରତରେ ଫିଲ୍ମଟି ରିଲିଜ୍‌ ନହେବା ପର୍ଯ୍ୟନ୍ତ ଏବଂ ଭାରତର ସେନ୍‌ସର ବୋର୍ଡରୁ ଫିଲ୍ମକୁ ପ୍ରମାଣପତ୍ର ନମିଳିବା ପର୍ଯ୍ୟନ୍ତ ବ୍ରିଟେନ୍‌ରେ ତାହା ରିଲିଜ୍‌ ନହେବାକୁ କହିଛନ୍ତି।

ଅନ୍ୟପକ୍ଷରେ, ବିବିଏଫ୍‌ସି ପକ୍ଷରୁ ଫିଲ୍ମ ‘ପଦ୍ମାବତୀ’କୁ ୧୨ଏ ରେଟିଂ ପ୍ରଦାନ କରାଯାଇଛି। ଅର୍ଥାତ୍‌ ୧୨ବର୍ଷରୁ କମ୍‌ ବୟସର ଶିଶୁ ଏକାକୀ ଏହି ଫିଲ୍ମଟି ଦେଖିବା ମନା। ତେବେ ଜଣେ ପ୍ରାପ୍ତବୟସ୍କଙ୍କ ସହ ହିଁ ୧୨ ବର୍ଷରୁ କମ୍‌ ବୟସର ଶିଶୁ ଫିଲ୍ମଟିକୁ ଦେଖିପାରିବେ। ଉଲ୍ଲେଖଯୋଗ୍ୟ, ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ ଡିସେମ୍ବର ୧ ତାରିଖରେ ସ୍ୱଦେଶରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ ଭାରତରେ ଦେଶବ୍ୟାପୀ ଅନ୍ଦୋଳନ ସାଙ୍ଗକୁ ସେନ୍‌ସର ବୋର୍ଡର ପ୍ରମାଣପତ୍ର ନମିଳିବାରୁ ଫିଲ୍ମର ନିର୍ମାଣକାରୀ ସଂସ୍ଥା ଭାୟକମ୍‌ ୧୮ ଏହାର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ସମ୍ପ୍ରତି ଭାରତର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଆଦି ୫ଟି ରାଜ୍ୟରେ ଫିଲ୍ମ ରିଲିଜ୍‌ ଉପରେ ସଂପୃକ୍ତ ସରକାର ରୋକ ଲାଗାଇଛନ୍ତି।

ବିଦେଶରେ ଫିଲ୍ମ ରିଲିଜ୍‌ ନହେବା ଲାଗି ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ସେନ୍‌ସର ବୋର୍ଡ ‘ପଦ୍ମାବତୀ’କୁ ପ୍ରମାଣପତ୍ର ଦେବା ପୂର୍ବରୁ ମାମଲାରେ ହସ୍ତକ୍ଷେପ କରିବେନି ବୋଲି ରାୟ ଦେଇଥିବା ସୁପ୍ରିମକୋର୍ଟ ଆଜି ଏହି ମାମଲାରେ ଏକ ସଦ୍ୟ ଆବେଦନର ଶୁଣାଣି ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ବିଦେଶରେ ‘ପଦ୍ମାବତୀ’ ରିଲିଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟ ଆସନ୍ତା ୨୮ ତାରିଖରେ ଆବେଦନକାରୀ ଏମ୍‌ଏଲ ଶର୍ମାଙ୍କ ଆବେଦନର ଶୁଣାଣି କରିବେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ୍‌ ଖାନ୍‌ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଆବେଦନକାରୀଙ୍କୁ ଏହି ମାମଲାରେ ଏକ ରିଟ୍‌ ପିଟିସନ ଦାଖଲ କରିବାକୁ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଆବେଦନକାରୀ ଆଇନଜୀବୀ ଏମ୍‌ଏଲ୍‌ ଶର୍ମା ପୂର୍ବରୁ ‘ପଦ୍ମାବତୀ’ ଫିଲ୍ମରେ ରହିଥିବା ଆପତ୍ତିଜନକ ଦୃଶ୍ୟ ହଟାଇବା ସହ ଏହାର ରିଲିଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଆବେଦନ କରିଥିଲେ ହେଁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ।

‘ପଦ୍ମାବତୀ’ ପାଇଁ ୧୪୦ କୋଟି ଟଙ୍କାର ବୀମା

ନୂଆଦିଲ୍ଲୀ: ନିର୍ମାତା ନିର୍ଦ୍ଦେଶକ ସଂଜୟ ଲିଲା ବଂଶାଲିଙ୍କ ‘ପଦ୍ମାବତୀ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ୫ଟି ରାଜ୍ୟ ସରକାର ପ୍ରଦର୍ଶନ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିବାରୁ ଏବେ ଏହି ଚଳଚ୍ଚିତ୍ରର ଭବିଷ୍ୟତ ସଙ୍କଟରେ ପଡ଼ିଯାଇଛି। ରାଣୀ ପଦ୍ମାବତୀଙ୍କ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ବିଭିନ୍ନ ରାଜପୁତ ସଂଗଠନ ଫିଲ୍ମ ବିରୋଧରେ ଜୋରଦାର ଆନ୍ଦୋଳନ ଜାରି ରଖିଥିବାରୁ ଏହି ଚଳଚ୍ଚିତ୍ର ପାଇଁ ୧୪୦ କୋଟି ଟଙ୍କାର ବୀମା କରାଯାଇଥିବା ଜଣାପଡ଼ିଛି। ସିନେମା ହଲ୍‌ରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଗଲେ ଏବଂ ହିଂସାତ୍ମକ ପ୍ରଦର୍ଶନ ଯୋଗୁଁ ଦର୍ଶକ ହଲ୍‌କୁ ଯାଇ ନପାରିଲେ ବିତରକମାନେ ୮୦ କୋଟି ଟଙ୍କା ବୀମା ଦାବି କରିପାରିବେ। ତେବେ ଫିଲ୍ମ ରିଲିଜ୍‌ ହେବାପରେ ହିଁ ଏଭଳି ସମସ୍ୟା କ୍ଷେତ୍ରରେ ବୀମା ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ତେବେ ସରକାର ଯଦି ଚଳଚ୍ଚିତ୍ରକୁ ନିଷିଦ୍ଧ ଘୋଷଣା କରିବେ ତା’ହେଲେ ବୀମା ଅର୍ଥ ଦାବି କରାଯାଇପାରିବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର