‘ପର୍ଲ ହାର୍ବର ଆକ୍ରମଣଠୁ ବି କରୋନା ଯନ୍ତ୍ରଣାଦାୟକ’

'Corona hurts even more than Pearl Harbor attack'

ୱାସିଂଟନ: ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକାରେ ଏ ଯାବତ୍ ପ୍ରାୟ ସାଢେ଼ ୧୨ ଲକ୍ଷରୁ ନାଗରିକ ମହାମାରୀ କରୋନା ଭୂତାଣୁରେ ସଂକ୍ରମିତ ହେବା ସହ ପାଖାପାଖି ୭୬ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡି଼ଥିବା ବେଳେ ଦେଶବାସୀ କିଂକର୍ତ୍ତବ୍ୟଂବିମୂଢ଼ ହୋଇପଡି଼ଛନ୍ତି। ଏଭଳି ଯନ୍ତ୍ରଣା ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ପର୍ଲ ହାର୍ବର ଉପରେ ଜାପାନର ବୋମାମାଡ଼ କି ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦାର ବିମାନ ଆକ୍ରମଣଠାରୁ ବି ଅଧିକ ବିଭୀଷିକାମୟ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏଥି ସହିତ ସେ ଚିରାଚରିତ ଢଙ୍ଗରେ ଏଥିପାଇଁ ଚୀନ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିବାକୁ ଭୁଲିନାହାନ୍ତି। ଇଚ୍ଛା କରିଥିଲେ ଚୀନ୍ ଏହି ମହାମାରୀର ପ୍ରକୋପକୁ ରୋକିପାରିଥାନ୍ତା ବୋଲି ସେ କହିଛନ୍ତି।

ସୂଚନା ଥାଉ କି, କରୋନା ପାଇଁ ଜାରି ରହିଥିବା ଦୀର୍ଘ ଲକ୍‌ଡାଉନ୍‌ ସ୍ଥିତି ଯୋଗୁଁ ବିଶ୍ବ ଅର୍ଥନୀତିରେ ଯେଉଁ ଦ୍ରୁତ ଅବନ୍ନତି ଘଟିଛି, ତାହା ଦଶନ୍ଧି ଦଶନ୍ଧି ଧରି କେବେ ବି ଦେଖାଯାଇନଥିଲା। ଏଥିରୁ ମୁକୁଳିବା ଉଦ୍ଦେଶ୍ୟରେ ଜର୍ମାନୀରେ ଏବେ ଜନଜୀବନ ସ୍ବାଭାବିକ କରିବା ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି ସରିଛି। ସେହିପରି ୟୁରୋପୀୟ ସଂଘ ମଧ୍ୟ ଅନୁରୂପ ବ୍ୟବସ୍ଥା ପାଇଁ ସଜବାଜ ହେଉଛନ୍ତି। ଏହି ଅବସରରେ ଭାରତ ସମେତ ବିଭିନ୍ନ ଏସୀୟ ଦେଶ ମଧ୍ୟ ଅଳ୍ପ କିଛି ଦିନ ଭିତରେ ୟୁରୋପ ପନ୍ତ୍ରା ଅବଲମ୍ବନ କରୁଥିବା ଜଣାଯାଇଛି। ଏହି ଅବସରରେ ଆମେରିକା ହିଁ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। କୋଭିଡ୍–୧୯ର ଉପଦ୍ରବ ଯୋଗୁଁ ଏଇ ଚାରି ମାସରେ ଦେଶବାସୀ ଯେଉଁ ୟନ୍ତ୍ରଣା ଭୋଗିଛନ୍ତି ତାହା ୧୯୪୧ ମସିହା ଡିସେମ୍ବର ୭ ତାରିଖରେ ପର୍ଲ ହାର୍ବର ଉପରେ ଜାପାନ କରିଥିବା ବୋମାମାଡ଼ ଏବଂ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ନ୍ୟୁୟର୍କ ସହର ଉପରେ ଅଲ୍‌କାଏଦା କରିଥିବା ବିମାନ ଆକ୍ରମଣର କ୍ଷତଠାରୁ ମଧ୍ୟ କଷ୍ଟଦାୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର