ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟାଳୟ ଭିତରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଜାଳିଦେଲେ ୨ ମିନିଟ୍ରକ
ବୁରୱାନ୍: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆହୁରି ଚାରିରୁ ପାଞ୍ଚ ମାସ ବାକିଥିବା ବେଳେ ଏବେଠାରୁ ଏଠାରେ ରାଜନୈତିକ ଉଷ୍ମତା ଓ ହିଂସା ଦେଖିବା ପାଇଁ ମିଳିଲାଣି। ଆଜି (ଗୁରୁବାର) ଅପରାହ୍ନରେ ପଶ୍ଚିମବଙ୍ଗ ବିଜେପିର ପୂର୍ବ ବର୍ଦ୍ଧମାନ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀର ସଦସ୍ୟମାନେ ପରସ୍ପର ଉପରକୁ ପଥର ଫିଙ୍ଗବା ସହ କାର୍ଯ୍ୟାଳୟ ପରିସର ନିକଟରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକୁ ଜାଳି ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଗଳଦ୍ଘର୍ମ ହେବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ କେନ୍ଦ୍ର କରି ପଶ୍ଚିମବଙ୍ଗର ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇପଡ଼ିଛି। ବିଜେପି ଅଭିଯୋଗ କରି କରିଛି ଏହି ଘଟଣା ପଛରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ର ହାତ ଅଛି। ଅନ୍ୟପକ୍ଷରେ ରାଜ୍ୟର ଶାସକ ଦଳ ଟିଲଏମ୍ସି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଶିବିରରେ ଯୋଗ ଦେଇଥିବା ନୂତନ ଓ ପୂରାତନ ସଦସ୍ୟଙ୍କ ମଧ୍ୟରେ ବିବାଦର ଏହା ପ୍ରତିଫଳନ ବୋଲି ଟିଏମ୍ସି କହିଛି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ନିକଟରେ ବିଜେପି ସଭାପତି ଜେ ପି ନାଡ୍ଡାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏକ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଏକ ଦଳୀୟ ବୈଠକ ଚାଲିଥିବା ବେଳେ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ, ଗୋଟିଏ ଗୋଷ୍ଠୀର କିଛି ଯୁବକ କାର୍ଯ୍ୟାଳୟ ବାହାରକୁ ଆସି ପଥର ଫିଙ୍ଗିବା ସହ ସେଠାରେ ପାର୍କିଂ ହୋଇ ରହିଥିବା ଦୁଇଟି ମିନି ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ବର୍ଦ୍ଧମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।
ବିଜେପିର ବୈଠକରେ ଟିଏମ୍ସିର କାର୍ଯ୍ୟକର୍ତ୍ତାମାନେ ଏହି ଗଣ୍ଡଗୋଳ କରାଇଥିବା ନେଇ ବିଜେପିର ଅଭିଯୋଗକୁ ଅସ୍ୱୀକାର କରି ଟିଏମସିର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସଭାପତି ସପନ୍ ଦେବନାଥ କହିଛନ୍ତି ଯେ ଏହା ବିଜେପିର ଗୋଷ୍ଠୀ କନ୍ଦଳ। ଅନ୍ୟପକ୍ଷରେ କୋଲକାତାର ବରିଷ୍ଠ ବିଜେପି ନେତା ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଦଳ ଘଟଣାର ତଦନ୍ତ କରିବ ଏବଂ କୌଣସି ପ୍ରକାରର ବିଶୃଙ୍ଖଳିତ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।