ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସୁଯୋଗ ଦେଇଛି

ନୂଆଦିଲ୍ଲୀ:  କିଛିଦିନ ତଳେ ପାକିସ୍ତାନ ସରକାର କୁଖ୍ୟାତ ଆତଙ୍କବାଦୀ ସଂଗଠନ ତହରିକ-ଏ- ତାଲିବାନ ପାକିସ୍ତାନ (ଟିଟିପି) ସହିତ ଶାନ୍ତି ବୁଝାମଣା କରିଥିଲା । ପୁଣି ଏବେ ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ସୁଯୋଗ ଦେଇଛି । ମଙ୍ଗଳବାର ଦିନ ପାକିସ୍ତାନର ସୂଚନା ମନ୍ତ୍ରୀ ଫବଦ ଚୌଧୁରୀ କହିଛନ୍ତି କି, ହିଂସା ଛାଡି ଯଦି ଆତଙ୍କବାଦୀମାନେ ସମ୍ବିଧାନକୁ ନିଜର କରିବାକୁ ଚାହାଁନ୍ତି ତେବେ ପାକିସ୍ତାନ ସରକାର ତାଙ୍କୁ ଏକ ସୁଯୋଗ ଦେବ ।

ଫବାଦ ଚୌଧୁରୀ ଆହୁରି କହିଛନ୍ତି କି,  ଟିଟିପି ସହିତ ଜଡିତ କିଛି ଆତଙ୍କବାଦୀ ହିଂସାର ରାସ୍ତା ଛାଡିବାକୁ ଚାହୁଁଛନ୍ତି । କହିରଖୁ କି ସେନା ପ୍ରମୁଖ ଜେନରାଲ କମର ଜାବେଦ ବାଜବା ଗୋଟିଏ ଦିନ ପୂର୍ବରୁ  ସଂସଦର ରାଷ୍ଟ୍ରୀୟ ସୁରକ୍ଷା ପରିସ୍ଥିତି ବାବଦରେ ସୂଚନା ଦେଇ କହିଥିଲେ କି, ସରକାର ଓ ପ୍ରତିବନ୍ଧିତ ସଂଗଠନ ମଧ୍ୟରେ ଏକ ସଂଘର୍ଷବିରତି ବୁଝାମଣା ହୋଇଛି ।

ସୂଚନା ଥାଉକି ଏବେ ଏବେ ପାକିସ୍ତାନ ଓ ଟିଟିପି ମଧ୍ୟରେ ହୋଇଥିବା ଶାନ୍ତି ବୁଝାମଣାକୁ ନେଇ କୁହାଯାଇଥିଲା କି ଆଫଗାନିସ୍ତାନରେ ତାଲିବାନ ସରକାରର ଗୃହମନ୍ତ୍ରୀ ଥିବା ତଥା ହକ୍କାନୀ ନେଟୱର୍କର ସୂତ୍ରଧର ସିରାଜ୍ଜୁଦ୍ଦିନ ହକ୍କାନୀଙ୍କ ବଡ ଭୂମିକା ଥିଲା । ଏକ ରିପୋର୍ଟ ମୁତାବକ ତାଲିବାନ ପାକିସ୍ତାନକୁ ଟିଟିପି ସହିତ କଥାବାର୍ତ୍ତା କରିବାକୁ ଅଫର ଦେଇଥିଲା । ସରକାରଙ୍କ ପ୍ରବକ୍ତା ଫବାଦ ଚୌଧୁରୀ ଏକ ଟ୍ୱିଟ୍ କରି କହିଛନ୍ତି କି ଆଫଗାନିସ୍ତାନର ତାଲିବାନ ସରକାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଟିଟିପି ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମ ଆଲୋଚନାରେ ସହାୟତା କରିଥିଲା ।

ଟିଟିପିର ପ୍ରବକ୍ତା ମହମ୍ମଦ ଖୁରାସାନୀ ଏହି କଥାକୁ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି କି, ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ସଂଘର୍ଷ ବିରାମ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବଧି ମଧ୍ୟରେ ପାକିସ୍ତାନ ଓ ଟିଟିପି ମଧ୍ୟରେ କଥାବାର୍ତ୍ତା ଜାରି ରଖିବାକୁ ଏକ କମିଟି ଗଠନ କରାଯିବ । ସେ କହିଛନ୍ତି କି ଏହି କଥାବାର୍ତ୍ତା ଅବଧି ମଧ୍ୟରେ ଉଭୟ ପକ୍ଷ ସଂଘର୍ଷ ବିରାମ ପାଳନ କରିବେ । ଯଦି ଆଲୋଚନାର ନିଷ୍କର୍ସ ବାହାରିବାରେ ଡେରିହୁଏ ତେବେ ସଂଘର୍ଷ ବିରାମ ଅବଧି ବି ବୃଦ୍ଧି କରାଯିବ ।

କହିରଖୁ କି ପାକିସ୍ତାନ ସରକାର ୨୦୦୮ ମସିହାରେ ଟିଟିପିକୁ କଳା ତାଲିକାଭୂକ୍ତ କରିଥିଲା । ଟିଟିପି ପକ୍ଷରୁ ୧୦ ବର୍ଷ ମଧ୍ୟରେ ପାକିସ୍ତାନରେ ବଡ ବଡ ଆକ୍ରମଣ କରିଛି  । ଏହି ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ ଗଡ ଇମ୍ରାନ ଖାନଙ୍କ ଗୃହରାଜ୍ୟ ଖୈବର ପସ୍ତୁନୁଖାରେ ରହିଛି ।

 

ସମ୍ବନ୍ଧିତ ଖବର