ପାପୀ ଲୋକେ କ୍ୟାନ୍‌ସର୍‌ ଭୋଗୁଛନ୍ତି, ଏହା ଈଶ୍ୱରଙ୍କ ବିଚାର: ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ

ଗୌହାଟି: ଅତୀତରେ ପାପ କରି ଥିବାରୁ କେତେକ ଲୋକ କ୍ୟାନ୍‌ସର୍‌ ଭୋଗୁଛନ୍ତି। ଏହା ଈଶ୍ୱରଙ୍କ ବିଚାର। ଏ କଥା କହିଛନ୍ତି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

ହିମନ୍ତଙ୍କ କଥା ରାଜନୈତିକ ମହଲ ଏବଂ କ୍ୟାନ୍‌ସର୍‌ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇ ଦେଇଛି।

ଆମେ ପାପ କଲେ ଈଶ୍ୱର ଆମକୁ କଷ୍ଟ ଦିଅନ୍ତି। ଯୁବା ବୟସରେ ମଧ୍ୟ ଲୋକେ କ୍ୟାନ୍‌ସର୍‌ ରୋଗରେ ପଡ଼ନ୍ତି। ଦୁର୍ଘଟଣାରେ ସମ୍ମୁଖୀନ ହୁଅନ୍ତି। ତାଙ୍କ ଅତୀତକୁ ଲକ୍ଷ୍ୟ କଲେ ଜାଣି ପାରିବେ ଏହା ଈଶ୍ୱରଙ୍କ ବିଚାର ଛଡ଼ା ଆଉ କିଛି ନୁହେଁ। ଆମକୁ ଈଶ୍ୱରଙ୍କ ବିଚାର ଅନୁସାରେ ଦଣ୍ଡ ଭୋଗିବାକୁ ପଡ଼ିବ। ମଙ୍ଗଳବାର ଦିନ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ନିମନ୍ତେ ହୋଇଥିବା ଏକ ଉତ୍ସବରେ ଶର୍ମା ଏ ଭଳି କଥା କହିଛନ୍ତି।

ଏ ଜନ୍ମରେ ହେଉ କି ପୂର୍ବ ଜନ୍ମରେ ହେଉ, ଯୁବକ ଜଣକ କିଛି ପାପ କରି ନାହାନ୍ତି। ତାଙ୍କ ବାପା କିଛି ଭୁଲ୍‌ କରି ଥିବେ। କର୍ମ ଫଳ କଥା ଗୀତା ଏବଂ ବାଇବେଲରେ ଲେଖା ଯାଇଛି। ଏଥିରେ ଦୁଃଖ କରିବାର କୌଣସି କାରଣ ନାହିଁ… କେହି ଈଶ୍ୱରଙ୍କ ବିଚାରକୁ ଟାଳି ପାରିବେ ନାହିଁ ବୋଲି ସେ କହିଥିଲେ।

ଏ କଥା ଉପରେ କଂଗ୍ରେସ ନେତା ଦେବବ୍ରତ ସାଇକିଆ ବୁଧବାର ଦିନ କହିଛନ୍ତି ଯେ କ୍ୟାନ୍‌ସର୍‌ ରୋଗୀଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଏମିତି କହିବା ଦୁଃଖର ବିଷୟ। ଏହା ତାଙ୍କୁ କଷ୍ଟ ଦେଇଥିବ। ଏ କଥା ସମସ୍ତଙ୍କ ଆଗରେ କହିଥିବାରୁ ମନ୍ତ୍ରୀ ସମସ୍ତଙ୍କ ଆଗରେ କ୍ଷମା ମାଗିବା କଥା।

ଏଆଇୟୁଡିଏଫ୍‌ ନେତା ଅମିନୁଲ୍‌ ଇସ୍‌ଲାମ୍‌ କହିଛନ୍ତି ଯେ ରାଜ୍ୟରେ କ୍ୟାନ୍‌ସର୍‌ ମାଡ଼ି ଚାଲିଛି। ତାକୁ ରୋକି ନ ପାରି ସ୍ୱାସ୍ଥ୍ୟମନ୍ତ୍ରୀ ଏକଥା କହିଛନ୍ତି।

କ୍ୟାନସର୍‌ ପାଇଁ ବିଭିନ୍ନ କାରଣ ଅଛି। ଡାକ୍ତରୀ ବିଦ୍ୟାରେ କ୍ୟାନ୍‌ସର୍‌ ପାଇଁ ଥିବା ଅନେକ କାରଣ ଜଣାପଡ଼ିଲାଣି। ଏତେ ସବୁ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏ ଭଳି କହିବା ଯୋଗୁଁ କ୍ୟାନ୍‌ସର୍‌ ରୋଗୀମାନେ ଆଘାତ ପାଇଛନ୍ତି।

ସମ୍ବନ୍ଧିତ ଖବର