ପିତାଙ୍କ ସାକ୍ଷାତକାର ଦେଖି କାନ୍ଦିଲେ ରୋନାଲ୍‌ଡୋ

ଭିଲନିଅସ୍: ପର୍ତୁଗାଲର ତାରକା ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପିତା ଜୋସ୍ ଦିନିସ୍ ଆଭେଇରୋ ୧୪ ବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି। ତେବେ ନିକଟରେ ତାଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ପଦାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ‌ରୋନାଲଡୋ କ୍ୟାମେରା ସାମ୍ନାରେ ହିଁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଭିଡିଓରେ ଆଭେଇରୋ ନିଜ ଘର କବାଟ ପାଖରେ ଠିଆ ହୋଇ ରୋନାଲଡୋଙ୍କ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ରୋନାଲଡୋଙ୍କ ପାଇଁ ସେ କେତେ ଗର୍ବିତ? ସେକଥା ମଧ୍ୟ ଆଭେଇରୋ ଏଥିରେ କହୁଛନ୍ତି।

ରୋନଲଡୋଙ୍କୁ ଏହି ଭିଡିଓ ତାଙ୍କ ସାକ୍ଷାତକାର ନେଉଥିବା ସାମ୍ବାଦିକ ଦେଖାଇଥିଲେ। ପୂର୍ବରୁ ଏହି ଭିଡିଓକୁ ସେ କେବେ ବି ଦେଖି ନଥିବା ଭାବବିହ୍ବଳ ରୋନାଲଡୋ କହିବା ସହ ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ଚାଲିଥିଲା। ସେ କାନ୍ଦି କାନ୍ଦି କହିଥିଲେ ଯେ ଅବିଶ୍ବସନୀୟ, ଏହି ଭିଡିଓକୁ ମୁଁ କେବେ ବି ଦେଖି ନଥିଲି। ମୋ ପିତା ମୋର କୌଣସି ସଫଳତା ଦେଖି ନାହାନ୍ତି। ମୁଁ ଏକନମ୍ବର ଫୁଟ୍‌ବଲର୍‌ ହେବା, ପୁରସ୍କାର ଗ୍ରହଣ କରିବା, ସେ ସବୁ ଦେଖିବା ପୂର୍ବରୁ ସେ ଆରପାରିକୁ ଚାଲିଯାଇଥିଲେ। ‌ମୋ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମା’, ଭାଇ, ପୁଅ ସମସ୍ତେ ଏହାକୁ ଦେଖିଛନ୍ତି, ହେଲେ ପିତା ଯୁବାବସ୍ଥାରେ ଚାଲି ଯାଇଥିବାରୁ ଏଥିରୁ ବଞ୍ଚିତ ହୋଇଛନ୍ତି। ରୋନାଲଡୋଙ୍କ ପିତା ଆଭେଇରୋ ୨୦୦୫ ମସିହାର ମାଞ୍ଚେଷ୍ଟର ୟୁନାଇଟେଡ୍ ଏବଂ ଭିଲାରିଅଲ୍ ଚାମ୍ପିଅନ୍ସ ଲିଗ୍ ମ୍ୟାଚ୍‌ର ଠିକ୍ ପୂର୍ବ ଦିନ ଲଣ୍ଡନର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ପିତାଙ୍କ ପାଖରେ ରହିବା ଲାଗି ରୋନାଲଡୋ ଏହି ମ୍ୟାଚ୍ ଖେଳି ପାରି ନ ଥିଲେ।

ସମ୍ବନ୍ଧିତ ଖବର