ପୁଣି ପ୍ରୋଟକଲ ଭାଙ୍ଗିଲେ ଚନ୍ଦ୍ରଶେଖର ରାଓ, ମୋଦୀଙ୍କୁ ସ୍ବାଗତ କରିବାକୁ ଗଲେନି  

ହାଇଦ୍ରାବାଦ : ପୁଣି ପ୍ରୋଟକଲ ଭାଙ୍ଗିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବାକୁ ସେ ଏୟାରପୋର୍ଟ ନଯାଇ ନିଜର ଜଣେ ମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି ।

ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଥିବାରୁ ସେଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଯାଇଛନ୍ତି । କିନ୍ତୁ ଶନିବାର ଅପରାହ୍ଣରେ ସେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଶୁପାଳନ, ମତ୍ସ୍ୟଚାଷ ମନ୍ତ୍ରୀ ତଲସାନି ଶ୍ରୀନିବାସ ଯାଦବ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ବାଗତ କରିନଥିଲେ ।

ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଆସନ୍ତା ରବିବାରଦିନ ବିଜେପି ଜାତୀୟ କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସମସ୍ତଙ୍କ ଉପସ୍ଥିତିରେ ହେଉଛି ।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାରେ ଶାସନ କରୁଥିବା ଟିଆରଏସ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି । ଆଜି ହାଇଦ୍ରାବାଦ ଗସ୍ତରେ ଥିବାବେଳେ ସିହ୍ନାଙ୍କ ପାଇଁ ହାଇଦ୍ରାବାଦରେ ଟିଆରଏସ ପକ୍ଷରୁ ଏକ ସମର୍ଥନ ରାଲି କରାଯାଇଥିଲା ।

 

ସମ୍ବନ୍ଧିତ ଖବର