ପ୍ରତିରକ୍ଷା ବଜେଟ୍ ୨୦୯ ବିଲିୟନକୁ ବଢାଇଲା ଚୀନ, ଭାରତର ୩ଗୁଣ

ନୂଆଦିଲ୍ଲୀ  : ନିଜର ପ୍ରତିରକ୍ଷା ବଜେଟ୍ ବଢାଇଚାଲିଛି ଚୀନ । ଚଳିତ ବର୍ଷ ଚୀନ ନିଜର ପ୍ରତିରକ୍ଷା ବଜେଟକୁ ୬.୮ ପ୍ରତିଶତ ବୃଦ୍ଧି କରି ୨୦୯ ବିଲିୟନ ଡଲାରରେ ପହଞ୍ଚାଇଛି । ଗତ ବର୍ଷ  ଚୀନର ୧୯୬ ବିଲିୟନ ଡଲାର ଥିଲା ।

ଚୀନ ପିପୁଲ୍ସ କଂଗ୍ରେସର ପ୍ରଥମ ଦିନରେ ଚୀନର ପ୍ରିମିୟର ଲି କେକିଆଙ୍ଗ ଏହି ଘୋଷଣା କରିଛନ୍ତି ।

କ୍ରମାଗତଭାବେ ବଢଚାଲିଥିବା ଚୀନର ପ୍ରତିରକ୍ଷା ବଜେଟ ଏବେ ଭାରତର ପ୍ରତିରକ୍ଷା ବଜେଟର ୩ଗୁଣ ହୋଇଯାଇଛି । ଭାରତର ପ୍ରତିରକ୍ଷା ବଜେଟ ଏବେ ୬୫.୭ ବିଲିୟନ ଡଲାର ରହିଛି । ଅନ୍ୟପକ୍ଷରେ ସୁପର ପାଓ୍ବାର ଆମେରିକାର ପ୍ରତିରକ୍ଷା ବଜେଟ ଏବେ ବି ଚୀନଠାରୁ ଢେର୍ ଆଗରେ ରହିଛି । ଆମେରିକାର ପ୍ରତିରକ୍ଷା ବଜେଟ ଏବେ ୭୪୦ ବିଲିୟନ ଡଲାର ରହିଛି । ଏଣୁ ଆମେରିକା ସହ ସମାନ ହେବାକୁ ଚୀନକୁ ଆହୁରି କିଛି ବର୍ଷ ଲାଗିଯିବ ।

ଚୀନ ଓ ଭାରତର ପ୍ରତିରକ୍ଷା ବଜେଟ ମଧ୍ୟରେ ବ୍ୟବଧାନ ବଢୁଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଗତ କିଛି ବର୍ଷ ଧରି ଭାରତ ସରକାର ନିଜର ପ୍ରତିରକ୍ଷା ବଜେଟରେ ସେପରି କିଛି ଆଖିଦୃଷ୍ଟିଆ ବୃଦ୍ଧି କରିନାହାନ୍ତି । ଆହୁରି ମଧ୍ୟ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭାରତକୁ ମଧ୍ୟ ନିଜର ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । 

ସମ୍ବନ୍ଧିତ ଖବର