ପ୍ରତି ଆତଙ୍କବାଦୀ ଘଟଣାରେ ଆମକୁ ଦୋଷ  ଦେବା ଭାରତର ଅଭ୍ୟାସ : ପାକିସ୍ତାନ

ନୂଆଦିଲ୍ଲୀ : ଅମୃତସରରେ ହୋଇଥିବା ବୋମା ବିସ୍ଫୋରଣରେ କୌଣସି ହାତ ଥିବା କଥାକୁ ପାକିସ୍ତାନ ଅସ୍ୱୀକାର କରିଛି । ଏ ସଂପର୍କରେ ପ୍ରତିକ୍ରିୟା ରଖି ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର  ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ଏକ ଅଭ୍ୟାସଗତ ଦୋଷାରୋପକାରୀ । ପ୍ରତି କଥାରେ ପାକିସ୍ତାନକୁ ଦୋଷାରପ କରିବା ଭାରତର ଅଭ୍ୟାସ ।  ପ୍ରତିଘଟଣାରେ ନିଜର ବିଫଳତାକୁ ଲୁଚାଇବା ଓ ନିର୍ବାଚନ ବେଳେ ପାକିସ୍ତାନକୁ ଅଯଥାରେ ଟାଣିବା ପାଇଁ ଭାରତ ଏପରି ଆରୋପ ଲଗାଉଛି ।

ପଂଜାବର ଅମୃତସରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗତକାଲି  ସୂଚନା ଦେଇଥିଲେ । ସେ କହିଥିଲେ  ଯେ ଏହି ଘଟଣାରେ ବ୍ୟବହୃତ ଗ୍ରେନେଡ ପାକିସ୍ତାନରୁ ଆସିଥିଲା । ପାକିସ୍ତାନୀ ସେନା ଏପରି ଗ୍ରେନେଡ ବ୍ୟବହାର କରିଥାଏ ବୋଲି ସେ ସୂଚନା ଦେଇଥିଲେ । ନିରଙ୍କାରୀ ଆଶ୍ରମରେ ହୋଇଥିବା ଏହି ଆକ୍ରମଣରେ ୩ ନିହତ ହେବା ସହ ୨୦ ଆହତ ହୋଇଥିଲେ ।  ଏହି  ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି  । ତାହାର ନାଁ ହେଉଛି ବିକ୍ରମଜିତ ସିଂ (୨୬) । ଅନ୍ୟଜଣକର ନାଁ ହେଉଛି ଅବତାର ସିଂ, ତାକୁ ଖୁବଶୀଘ୍ର ଗିରଫ  କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର