ପ୍ରଧାନବିଚାରପତିଙ୍କ ବିରୋଧରେ ମାମଲା: ‘ଅଭିଯୋଗ’ର ତଦନ୍ତ ପରେ ‘ଷଡ଼ଯନ୍ତ୍ର’ର ତଦନ୍ତ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ଏବଂ ପରେ ଏହି ମାମଲାକୁ ନେଇ ହୋଇଥିବା ଷଡ଼ଯନ୍ତ୍ରର ତଦନ୍ତ ପ୍ରକ୍ରିୟା ପୁଣି ଏକ ମୁଆ ମୋଡ଼ ନେଇଛି। ପ୍ରଧାନ ବିଚାରପତିଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲା ସମାପ୍ତ ପରେ ହିଁ ତାଙ୍କ ବିରୋଧରେ ହେଉଥିବା ଷଡ଼୍‌ଯନ୍ତ୍ରର ତଦନ୍ତ ଆରମ୍ଭ କରାଯିବ ବୋଲି ପୂର୍ବତନ ବିଚାରପତି ଏକେ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସୂଚନା ଥାଉକି, ଆଡ଼ଭୋକେଟ୍‌ ଉତ୍ସବ ବେଂସ ପ୍ରଧାନ ବିଚାରପତି ଗୋଗୋଇଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିବାକୁ ତାଙ୍କ ବିରୋଧରେ ଏଭଳି ଷଡ଼୍‌ଯନ୍ତ୍ର କରାଯାଉଥିବା ଅଭିଯୋଗ କରିବା ପରେ ସୁପ୍ରିମ କୋର୍ଟ ଉକ୍ତ ଷଡ଼ଯନ୍ତ୍ରର ତଦନ୍ତ ପାଇଁ ଏପ୍ରିଲ ୨୫ରେ ଏହାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବତନ ବିଚାରପତି ପଟ୍ଟନାୟକଙ୍କୁ ଏହି ତଦନ୍ତ ଦାୟିତ୍ୱ ଦେବା ସହ ସିବିଆଇ ମୁଖ୍ୟ, ଆଇବି ମୁଖ୍ୟ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ତଦନ୍ତରେ ସହାୟତା କରିବାକୁ ନିର୍ଦେଶ ଦେଇଥିଲେ। ୯୦ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ବିଚାରପତି ପଟ୍ଟନାୟକଙ୍କ କୁହାଯାଇଥିଲା। ସୁପ୍ରିମ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ଗୋଗୋଇଙ୍କ ବିରୋଧରେ ହେଉଥିବା ଷଡ଼୍‌୍‌ଯନ୍ତ୍ର ମାମଲାର ତଦନ୍ତ ଯୌନ ନିର୍ଯାତନା ମାମଲାକୁ କୌଣସି ମତେ ପ୍ରଭାବିତ କରିବା ନାହିଁ। ବେଂସ ଅଭିଯୋଗ କରିଥିଲେ ଯେ, ପ୍ରଧାନ ବିଚାରପତିଙ୍କ ବିରୋଧରେ ହେଉଥିବା ଷଡ଼୍‌ଯନ୍ତ୍ରରେ ଦାଉଦ୍‌ ଇବ୍ରାହିମ୍‌ଙ୍କ ଜଣେ ଘନିଷ୍ଟ ଏବଂ ଜଣେ ପ୍ରଭାବଶାଳୀ ଶିଳ୍ପପତି ସାମିଲ ଅଛନ୍ତି। ସେ ନିର୍ଦିଷ୍ଟ ଭାବେ ଶିଳ୍ପପତିଙ୍କ ନାମ ନେଇନଥିଲେ ମଧ୍ୟ ଷଡ଼ଯନ୍ତ୍ରରେ ଜଡିତ ଥିବା କୋର୍ଟର ଦୁଇ ଜଣ ବହିସ୍କୃତ କର୍ମଚାରୀଙ୍କ ସହ ଅନିଲ ଅମ୍ବାନିଙ୍କ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ଏବଂ ସବୁ ତଥ୍ୟ ସେ ପ୍ରଘଟ କରିପାରିବେ ନାହିଁ ବୋଲି ସୂଚନା ଦେଇଥିଲେ।

ଇତିମଧ୍ୟରେ, ଯୌନ ନିର୍ଯାତନା ମାମଲାର ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିର ଅନ୍ୟତମ ସଦସ୍ୟ ବରିଷ୍ଠ ଆଡ଼ଭୋକେଟ ଇନ୍ଦିରା ଜୟସିଂହ କହିଛନ୍ତି, ଯୌନ ନିର୍ଯାତନା ମାମଲା ସମାପ୍ତ ନେହେବା ଯାଏଁ ପ୍ରଧାନ ବିଚାରପତି ‘ରୋଷ୍ଟର’ ମାଷ୍ଟର୍‌ ରହିପାରିବେ ନାହିଁ। ପ୍ରଧାନ ବିଚାରପତିଙ୍କୁ କୋର୍ଟର ନ୍ୟାୟିକ ଏବଂ ପ୍ରଶାସନିକ କାର୍ଯ୍ୟରୁ ମଧ୍ୟ ଦୁରେଇ ରଖିବାର ଆବଶ୍ୟକତା ରହିଛି। ମାମଲାର ସମସ୍ତ ସାକ୍ଷୀ ନ୍ୟାୟାଳୟର କର୍ମଚାରୀ ହୋଇଥିବାରୁ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ସେ କେମିତି ଦାୟିତ୍ୱରେ ରହିବେ ବୋଲି ଜୟସିଂହ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର