ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅମରିନ୍ଦର

ଜାତୀୟ ଡ୍ରଗ୍‌ ନୀତି ପାଇଁ ଦାବି

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ ନିଶାଦ୍ରବ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିନିମନ୍ତେ ଅମରିନ୍ଦର ଏକ ଜାତୀୟ ଡ୍ରଗ୍‌ ନୀତି ଲାଗୁ କରିବାକୁ ଦାବି କରିଛନ୍ତି। ପଞ୍ଜାବରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କରିବା ନିମନ୍ତେ ଅମରିନ୍ଦର ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ି ତିନି ପ୍ରକାର ବ୍ୟବସ୍ଥାକୁ ନେଇ ନୀତି ଲାଗୁ କରିବାକୁ ଦାବି କରିଛନ୍ତି। ପ୍ରଚଳନ, ନିବାରଣ ଏବଂ ପ୍ରତିରୋଧ କରିବା ବ୍ୟବସ୍ଥାକୁ ନେଇ ନିଶା ଦ୍ରବ୍ୟର ଅପବ୍ୟବହାରକୁ ରୋକିବାକୁ ଦେଶରେ ଏକ ଜାତୀୟ ନୀତି ଲାଗୁ କରିବା ଅତି ଜରୁରୀ ବୋଲି ଅମରିନ୍ଦର ମୋଦୀଙ୍କୁ ଚିଠି ଲେଖିଛନ୍ତିI ନିଶାଦ୍ରବ୍ୟର ଅପବ୍ୟବହାର ଯୋଗୁଁ ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସହିତ ଯୁବ ଗୋଷ୍ଠୀକୁ ଅଧିକ ମାତ୍ରାରେ ଏହା ପ୍ରଭାବିତ କରୁଛି। ଏଥିନିମନ୍ତେ ରାଜ୍ୟର ନିଶାନିବାରଣ କାର୍ଯ୍ୟକ୍ରମରେ ସେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଲୋଡ଼ିବା ସହିତ ରାଜ୍ୟ କେନ୍ଦ୍ର ସହିତ ଏକତ୍ର କାର୍ଯ୍ୟ କରିବାକୁ ଇଛା ପ୍ରକାଶ କରିଛନ୍ତି। ପଞ୍ଜାବରେ ପାକିସ୍ତାନ ସହିତ ୫୫୩ କିଲୋମିଟର ବ୍ୟାପୀ ସୀମା ରହିଥିବାରୁ ଦେଶର ସୁରକ୍ଷା ପାଇଁ ନିଶା କାରବାର ରୋକିବା ଜରୁରୀ ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର