ବାୟୁସେନା ମୁଖ୍ୟ ଭାବେ ଭଦୋରିଆ ନେଲେ ଦାୟିତ୍ବ, ‘ବାଲାକୋଟ୍ ଭଳି ଆକ୍ରମଣ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ଏୟାର ଚିଫ୍‌ ମାର୍ସଲ ରାକେଶ କୁମାର ସିଂ ଭଦୋରିଆ ଆଜି ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ଅବସର ନେବା ପରେ ଭଦୋରିଆ ଏହି ଦାୟିତ୍ବ ନେଇଛନ୍ତି। ଭଦୋରିଆ ୧୯୮୦ରେ ବାୟୁସେନାରେ ‌ଯୋଗ ଦେଇଥିଲେ। ନ୍ୟାସ୍‌ନାଲ ଡିଫେନ୍‌ସ ଏକାଡେମିରେ ପଢ଼ିଲାବେଳେ ପ୍ରଥମ ସ୍ଥାନ ଅର୍ଜନ କରି‘ସୋର୍ଡ ଅଫ୍‌ ଅନର’ ସମ୍ମାନ ହାସଲ କରିଥିଲେ। ବାୟୁସେନାରେ ଦୀର୍ଘ ଚାରି ଦଶନ୍ଧି ଧରି ଦକ୍ଷତାର ସହ କାର୍ଯ୍ୟ କରି ବିଭିନ୍ନ ମହଲରୁ ପ୍ରଶଂସା ହାସଲ କରିଛନ୍ତି। ୧୯୯୯ କାର୍ଗିଲ୍‌ ଯୁଦ୍ଧବେଳେ ଜିପିଏସ୍‌ (ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌) ବ୍ୟବହାର କରି ଜାଗୁଆର୍‌ ଯୁଦ୍ଧ ବିମାନରୁ ବୋମା ନିକ୍ଷେପ କରିବାରେ ସେ ସଫଳତା ଅର୍ଜନ କରିଥିଲେ। ୨୬ ପ୍ରକାର ଯୁଦ୍ଧ ବିମାନରେ ୪,୨୫୦ ଘଣ୍ଟାର ଉଡ଼ାଣ ଅନୁଭୂତି ତାଙ୍କର ରହିଛି। ପଶ୍ଚିମ ଭାରତର ସ୍ଥିତି ଉପରେ ବାୟୁସେନା ନଜର ରଖିଛି। ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତାହେଲେ ଆମେ ବାଲାକୋଟ୍ ଭଳି ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି ବାୟୁସେନାର ନୂଆ ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର