ବିଏଚ୍‌ୟୁରେ ପୁଣି ହିଂସା: ଆନ୍ଦୋଳନକାରୀ ଛାତ୍ର-ପୁଲିସ ମୁହାଁମୁହିଁ

ବରଣାସୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ପୁଣି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସମାଜବାଦୀ ଛାତ୍ରସଂଘ ନେତା ଆଶୁତୋଷଙ୍କୁ ଗିରଫ ପ୍ରତିବାଦରେ ଆନ୍ଦୋଳନରେ ବସିଥିବା ଛାତ୍ରମାନେ ଆଜି ପୁଲିସ ବାହିନୀ ଉପରକୁ ପଥର ମାଡ଼ କରିବା ସହ ଏକ ସ୍କୁଲ୍‌ ବସ୍‌ରେ ନିଆଁ ଲଗାଇଦେଇଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଆନ୍ଦୋଳନରୁ ହଟାଇବାକୁ ଚେଷ୍ଟା କରିବା ସମୟରେ ପୁଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ଖୁବ୍‌ଶୀଘ୍ର ଉଗ୍ରରୂପ ଧାରଣ କରିଥିଲା । ଆନ୍ଦୋଳନକାରୀ ଛାତ୍ରମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡିଏଭି ସ୍କୁଲର ଏକ ବସ ଉପରେ ପଥରମାଡ଼ କରିଥିଲେ। ପରେ ସେମାନେ ପିଲାମାନଙ୍କୁ ବାହାର କରାଇନେବାପରେ ସେହି ବସରେ ନିଆଁ ଲଗାଇଦେଇଥିଲେ । କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ନଷ୍ଟ କରିଦେବା ସହ ଏଟିଏମକୁ ମଧ୍ୟ ଛାତ୍ରମାନେ ଭାଙ୍ଗିଦେଇଛନ୍ତି । ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ ମଧ୍ୟରେ ପୁଲିସ ଫୋର୍ସ ମୁତୟନ କରିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ବିଏଚୟୁ ଆଇଆଇଟିର ଛାତ୍ରମାନେ କ୍ୟାମ୍ପସ ଭିତରେ ଏକ ଡିଜେ ପାର୍ଟି ଆୟୋଜନ କରିଥିଲେ ଯାହାକୁ ପୂର୍ବତନ ମନ୍ତ୍ରୀ ଓମପ୍ରକାଶ ସିଂହଙ୍କ ପୁଅ ତଥା ଛାତ୍ରନେତା ଆଶୁତୋଷ ବିରୋଧ କରିଥିଲେ । ଆଇଆଇଟି ଛାତ୍ରମାନେ ଅଭିଯୋଗ କରିବା ପରେ ପୁଲିସ ଆଶୁତୋଷଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର