ବିଜେପି ଦୁର୍ଗରେ ପ୍ରବେଶ କରିଗଲୁ, ଆରଥର ଜିତିବୁ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ସଫଳତା ହାସଲ କରିଥିବାବେଳେ ଆମ ଆଦମି ପାର୍ଟି (ଆପ୍) ରାଜ୍ୟରେ ଖାତା ଖୋଲିଛି । ଦଳ ୫ଟି ଆସନରେ ବିଜୟ ହାସଲ କରିଛି । ତେବେ ଦଳ ଆଉ ଏକ କାରଣରୁ ଖୁସି ମନାଉଛି । ତାହାର କାରଣ ହେଉଛି ଦଳ ଏକ ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଇବାକୁ ଯାଉଛି ।

ଦଳର ଏହି ସଫଳତା ପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ଗୁଜରାଟ ବିଜେପିର ଦୁର୍ଗ ଭାବରେ ପରିଗଣିତ ହୋଇଥାଏ । କିନ୍ତୁ ତାଙ୍କ ଦଳ ବିଜେପିର ଏହି ଦୁର୍ଗରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି । ଆରଥରକୁ ସେଠାରୁ ଆମ ଆଦମି ପାର୍ଟି ଜିତିବ । ଆପ ଜାତୀୟ ଦଳ ମାନ୍ୟତା ପାଇବା ପରେ ଦଳର କର୍ମୀମାନଙ୍କୁ ସମ୍ବୋଧନ କରି ସେ ଏକଥା କହିଛନ୍ତି ।

ଗୁଜରାଟରେ ଆମ ଆଦମି ପାର୍ଟି ୧୩ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇଛି । ପ୍ରାୟ ୩୯ ଲକ୍ଷ ଲୋକ ଆପକୁ ଭୋଟ ଦେଇଛନ୍ତି ଓ ଏହି ସଂଖ୍ୟା ବଢିଚାଲିଛି । ଏଣୁ ଗୁଜରାଟର ଲୋକଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେ ଆହରି ମଧ୍ୟ କହିଛନ୍ତି ଯେ ଆପ ଏକ ଜାତୀୟ ଦଳରେ ପରିଣତ ହୋଇଥିବାରୁ ଏହାର କର୍ମୀ ଓ ଦେଶବାସୀଙ୍କୁ ଅଭିନନ୍ଦନ । ଗୁଜରାଟ ଲୋକ ଆପକୁ ଏକ ଜାତୀୟ ଦଳରେ ପରିଣତ କରିଛନ୍ତି ।

ସମ୍ବନ୍ଧିତ ଖବର