ବିଶ୍ବରେ ମୃତ୍ୟୁ ସଂଖ୍ୟା ୫୪ ହଜାର ଟପିଲା: ସ୍ପେନ୍‌, ଆମେରିକାରେ ମୃତ୍ୟୁର ତାଣ୍ଡବ

ୱାସିଂଟନ: ସ୍ପେନ୍‌ର ଉହାନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ବିଶ୍ବବ୍ୟାପୀ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ଆଜି ୫୪ ହଜାର ଅତିକ୍ରମ କରିଯାଇଛି। ସୁପରପାୱାର ଆମେରିକାରେ କରୋନା ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ମଧ୍ୟ ୨୪ ଘଣ୍ଟାରେ ୯୬୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ବିଶ୍ବବ୍ୟାପୀ ୧୦ ଲକ୍ଷ ୩୦ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି। ଆମେରିକାରେ ଏ ପର୍ଯ୍ୟନ୍ତ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୟୁରୋପର ୧୧ଟି ରାଷ୍ଟ୍ରରେ ପରିସ୍ଥିତି ଅତି ସାଂଘାତିକ ରୂପ ନେଇଛି। ୟୁରୋପୀୟ ରାଷ୍ଟ୍ର ସ୍ପେନ୍‌ରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ଆଜି ସୁଦ୍ଧା ପ୍ରାୟ ୧୦ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮ ହଜାର ମାମଲା ସାମ୍ନାକୁ ଆସିଛି ଏବଂ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାରରେ ପହଞ୍ଚିଛି।

କରୋନା ଭାଇରସ୍‌ ମହାମାରୀ ୟନ୍ତ ଇଟାଲିରେ ୧୪ ହଜାର ଲୋକଙ୍କ ଜୀବନ ନେଇଛି ଏବଂ ଇଟାଲିରେ ଦୈନିକ ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ସଧାର ହୋଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୧ ହଜାରରେ ପହଞ୍ଚିଛି। ଗୁରୁବାର ଦିନ ପ୍ରାୟ ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ କରୋନା ଯାଞ୍ଚ ରିପୋର୍ଟ ଦ୍ବିତୀୟ ବାର୍‌ ନେଗେଟିଭ୍‌ ଆସିଛି। ନ୍ୟୁୟର୍କରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ଯୋଗୁଁ ହାହାକାର ସୃଷ୍ଟି ହୋଇଛି। ହଜାର ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦ୍‌ବେଜନକ ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଯୁଦ୍ଧସ୍ତରରେ ପ୍ରୟାସ କରୁଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁଛି ଏବଂ ମୃତ୍ୟୁ ସଂଖ୍ୟା ୫ ହଜାର ୫୦୦ ଅତିକ୍ରମ କରିଯାଇଛି । ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଯାଇଛି। ବ୍ରିଟେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାରରେ ପହଞ୍ଚିଛି ଏବଂ ଏଠାରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। କରୋନା ଏବେ ସମଗ୍ର ମାନବ ଜାତି ପ୍ରତି ଭୟାନକ ବିପଦ ହୋଇ ଦେଖାଦେଇଥିବାରୁ ଏ ଦିଗରେ ବୈଶ୍ବିକ ରଣନୀତି ପ୍ରସ୍ତୁତ କରାଯାଇ କାମ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁରୁତ୍ବାରୋପ କରିଛି। ଅନଗ୍ରସର ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ସ୍ବତନ୍ତ୍ର ରଣନୀତିରେ କାମ କରିବାକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆହ୍ବାନ ଦେଇଛି।

ସମ୍ବନ୍ଧିତ ଖବର