ବିହାରରେ ଟ୍ରେନ ଚୋରି: ସ୍କ୍ରାପ୍‌ ଗୋଦାମରୁ ୧୩ ବସ୍ତା ଯନ୍ତ୍ରାଂଶ ଜବତ

ପାଟନା : ବିହାରରେ ଚୋରଦଳଙ୍କ ନୂଆ କାରନାମା ଏବେ ସାମ୍ନାକୁ ଆସିଛି। ବହୁପୁରୁଣା ଟ୍ରେନକୁ ସେମାନେ ଚୋରି କରିନେଉଛନ୍ତି। କେବଳ ସେତିକି ନୁହେଁ ଲୁହା ପୋଲକୁ ମଧ୍ୟ ଦିନବେଳେ ଭାଙ୍ଗିକରି ବିକ୍ରି କରିଦେଉଛନ୍ତି। ଏସବୁ ଘଟଣା ପୁଲିସର ନିଦ ହଜାଇ ଦେଲାଣି। ବାରାଉଣିର ଗରହରାକୁ ମରାମତି ପାଇଁ ଅଣାଯାଇଥିବା ଡିଜେଲ ଟ୍ରେନ ଇଞ୍ଜିନକୁ ଚୋରମାନେ ଗତ ସପ୍ତାହରେ ଚୋରି କରିନେଇ ଯାଇଛନ୍ତି। ଅଳ୍ପ ଅଳ୍ପ କରି ସେମାନେ ଟ୍ରେନ ଇଞ୍ଜିନକୁ ଖୋଲି ନେଇଯାଇଛନ୍ତି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିବା ପରେ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଛି। ମୁଜାଫରପୁରସ୍ଥିତ ପ୍ରଭାତ କଲୋନିରେ ଥିବା ଏକ ସ୍କ୍ରାପ ଗୋଦାମରୁ ପୁଲିସ ୧୩ ବସ୍ତା ଇଞ୍ଜିନ ଯନ୍ତ୍ରାଂଶ ଜବତ କରିଛି।

ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା ପୁଲିସ ଇଞ୍ଜିନ ରଖାଯାଇଥିବା ସ୍ଥାନରୁ ଏକ ଟନେଲ ପାଇଛି। ସେହି ଟନେଲ ବାଟେ ଚୋରମାନେ ଆସି ଇଞ୍ଜିନ ଯନ୍ତ୍ରାଂଶ ଖୋଲି ବସ୍ତାରେ ନେଇଛନ୍ତି ବୋଲି ଜଣେ ବରି‌ଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଆହୁରି କୌତୂହଳର ବିଷୟ ହେଲା ପୂର୍ଣ୍ଣିଆ ଜିଲ୍ଲାରେ ଜଣେ ଠକ ଏକ ଭିଣ୍ଟେଜ୍ ମିଟର ଗେଜ୍‌ ବା‌ଷ୍ପଚାଳିତ ଇଞ୍ଜିନକୁ ବିକ୍ରି କରିଦେଇଛି। ସ୍ଥାନୀୟ ରେଳ ‌ଷ୍ଟେସନରେ ସେହି ବାଷ୍ପଚାଳିତ ଇଞ୍ଜିନକୁ ଲୋକଙ୍କ ଦେଖିବା ପାଇଁ ରଖାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସେହି କ୍ଲାସିକ୍ ବାଷ୍ପଚାଳିତ ଇଞ୍ଜିନକୁ ଜଣେ ରେଳ ଇଞ୍ଜିନିୟର ଜାଲ ଚିଠି ଜରିଆରେ ବିକ୍ରି କରିଦେଇଛନ୍ତି। ସେହି ଚିଠି ସମସ୍ତିପୁର ଡିଭିଜନର ଡିଭିଜନାଲ ମେକାନିକାଲ ଇଞ୍ଜିନିୟରଙ୍କ ଦ୍ବାରା ଜାରି କରାଯାଇଥିବା ନେଇ ଜାଲିଆତି କରାଯାଇଛି।

ଚୋରଙ୍କ ଚୋରି କେବଳ ଟ୍ରେନ ଇଞ୍ଜିନରେ ସୀମିତ ରହିନାହିଁ। ଲୁହାରେ ନିର୍ମିତ ପୋଲକୁ ମଧ୍ୟ ସେମାନେ ଖୋଲି ବିକ୍ରି କରିବା ଉଦ୍ୟମ କରିଛନ୍ତି। ବିହାରର ଉତ୍ତରପୂର୍ବରେ ଆରାରିଆ ଜିଲ୍ଲାରେ ସୀତାଧାର ନଦୀରେ ଏହି ପୋଲଟି ରହିଛି। ଏ ନେଇ ପୁଲିସ ଏକ ଏଫଆଇଆର ରୁଜୁ କରିବା ସହିତ ସୁରକ୍ଷା ପାଇଁ ପୁଲିସ ମୁତୟନ କରିଛି। ‌ସ୍ଥାନୀୟ ଅଞ୍ଚଳରେ ତାହା ପଲଟନିଆ ପୋଲ ନାମରେ ପରିଚିତ। ଫର୍ବେସଗଞ୍ଜ ସହରରୁ ରାଣୀଗଞ୍ଜ ସହରକୁ ସେହି ପୋଲ ସଂଯୋଗ କରିଥାଏ। ପୋଲ ନିର୍ମାଣରେ ବ୍ୟବହୃତ ଲୁହା ଏଙ୍ଗେଲ ଏବଂ ଅନ୍ୟ କେତେକ ପ୍ରମୁଖ ଅଂଶ ନଥିବା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଛି। ଏହାପରେ ପୁଲିସ ଉକ୍ତ ପ୍ରସଙ୍ଗକୁ ଗମ୍ଭୀରତାର ସହ ‌ନେବା ସହିତ ପୋଲ ଯେଭଳି ଚୋରି ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କରିଛି। ଲୁହା ପୋଲର ଅଂଶ ଚୋରି ହୋଇଥିବା ନେଇ ଆମେ ଅଚିହ୍ନା ଲୋକଙ୍କ ନାମରେ ଏତଲା ରୁଜୁ କରିଛୁ ଏବଂ ଏହାର ତଦନ୍ତ ଚାଲିଛି ବୋଲି ଫର୍ବେସଗଞ୍ଜ ଥାନାଧିକାରୀ ନିର୍ମଳ କୁମାର ଯାଦବେନ୍ଦୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ଚୋରମାନେ ୪୫ ବର୍ଷର ଏକ ପୁରୁଣା ଇସ୍ପାତ ପୋଲକୁ ବିକ୍ରି କରିଦେଇଥିଲେ। ସେହି ପୋଲର ଓଜନ ପ୍ରାୟ ୫୦୦ ଟନ ରହିଥିଲା। ଦିନସମୟରେ ପୋଲକୁ ଭାଙ୍ଗି ଚୋରମାନେ ବିକ୍ରି କରିବାରୁ କେହି ସେମାନଙ୍କ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ କରି ନଥିଲେ। ସେହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ଜଣେ ସହକାରୀ ଯନ୍ତ୍ରୀ ରହିଛନ୍ତି। ସେମାନେ ସତ ମାନିବା ପରେ ସ୍କ୍ରାପ କରି ଦିଆଯାଇଥିବା ସାମଗ୍ରୀକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର