ବୁଡ଼ାଜାହାଜରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ପୋଙ୍ଗୟାଙ୍ଗ୍‌ : ଉତ୍ତର ‌କୋରିଆ ଆସନ୍ତା ୫ ତାରିଖରେ ଆମେରିକା ସହ ପରମାଣୁ କଥାବାର୍ତ୍ତା ଆରମ୍ଭ କରିବ ବୋଲି ଘୋଷଣା କରିଥିବାବେଳେ ଏହା ପୂର୍ବରୁ ଉତ୍ତର କୋରିଆ ପୁଣି ଏକ ନୂଆ ପ୍ରକାରର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଏସଏଲ୍‌ବିଏମ୍‌ (ସବମେରାଇନ୍‌ ଲଞ୍ଚ୍‌ଡ ବାଲିଷ୍ଟିକ୍‌ ମିସାଇଲ୍‌) ତଥା ବୁଡ଼ାଜାହାଜରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହା ଉତ୍ତର କୋରିଆର ଚଳିତ ବର୍ଷର ୧୧ ତମ ପରୀକ୍ଷା। ଏହି ସଫଳ ପରୀକ୍ଷଣ ଦ୍ବାରା ଉତ୍ତର କୋରିଆ ଏହାର ପରିସର ବାହାରକୁ ଯାଇ ମଧ୍ୟ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିପାରିବ।

ତେବେ ଦକ୍ଷିଣ କୋରିଆ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଜାପାନ୍‌ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମଧ୍ୟ ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷା ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଜାତିସଂଘ ସୁରକ୍ଷା ପରିଷଦ ସୁପାରିସକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ଉତ୍ତର କୋରିଆ ଅଧିକାରୀଙ୍କ କହିବା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ସମୁଦ୍ରରେ ଅବତରଣ କରିବା ପୂର୍ବରୁ ପ୍ରାୟ ୪୫୦ କିମି ଅତିକ୍ରମ କରିଛି ଏବଂ ସମୁଦ୍ର ପତ୍ତନଠାରୁ ୯୧୦ କିମି ଉଚ୍ଚତାରେ ପହଞ୍ଚିଛି। ଗତକାଲି ଉତ୍ତର ପୂର୍ବ ଉପକୂଳ ସହର ଓନ୍‌ସାନ୍‌‌‌ରୁ ଏହି କ୍ଷେପଣା‌ସ୍ତ୍ର ପରୀକ୍ଷା କରାଯାଇଛି। ତେବେ ଉତ୍ତର କୋରିଆ କହିଛି, ‌ପରୀକ୍ଷା ହୋଇଥିବା କ୍ଷେପଣା‌ସ୍ତ୍ର ପୁଖୁକ୍‌ସଙ୍ଗ୍‌-୩ ପଡ଼ୋଶୀ ଦେଶର ସୁରକ୍ଷା ଉପରେ ଆଦୌ ପ୍ରଭାବ ପକାଇବନି।

ସମ୍ବନ୍ଧିତ ଖବର