ବ୍ୟକ୍ତିଗତ କାରଣ ଦର୍ଶାଇ ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ।

୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବୈଜଲ ଗତ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫ ବର୍ଷ ପୂରଣ କରିଥିଲେ । ତେବେ ଉପ-ରାଜ୍ୟପାଳଙ୍କ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବାରୁ ସେ ଏ ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟକରିଆସୁଥିଲେ ।

ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ସେ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟିକରୁଥିବା କେଜ୍ରିଓ୍ବାଲ ପୂର୍ବରୁ ଏକାଧିକ ଥର ଅଭିଯୋଗ କରିଛନ୍ତି ।

୧୯୬୯ ବ୍ୟାଚ ୟୁନିଅନ ଟେରିଟରି କ୍ୟାଡରର ଆଇଏଏସ ଅଧିକାରୀ ଅନୀଲ ବୈଜଲ ପୂର୍ବରୁ କେନ୍ଦ୍ର ଗୃହ ସଚିବ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ(ଡିଡିଏ)ର ଉପସଭାପତି ଓ ଇଣ୍ଡିଆନ ଏୟାରଲାଇନ୍ସ, ପ୍ରସାରଭାରତୀର ମୁଖ୍ୟଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଗୋଆର ଉନ୍ନୟନ କମିଶନର ଭାବେ କାମ କରିଛନ୍ତି ।

୨୦୦୪ରେ କେନ୍ଦ୍ରରେ ୟୁପିଏ ସରକାର ଆସିବା ପରେ ବୈଜଲଙ୍କୁ କେନ୍ଦ୍ର ଗୃହ ସଚିବ ପଦରୁ ହଟାଇଦେଇଥିଲେ ।

ସମ୍ବନ୍ଧିତ ଖବର