ଭଗତ ସିଂହଙ୍କୁ ଆତଙ୍କବାଦୀ କହିଥିବା ଜମ୍ମୁ ବିଶ୍ୱବିଦ୍ୟାଳୟ ପ୍ରଫେସର୍‌ଙ୍କ ବିରୋଧରେ ତଦନ୍ତ ଆଦେଶ

ନୂଆଦିଲ୍ଲୀ: ଜମ୍ମୁ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ମହମ୍ମଦ ତାଜୁଦ୍ଦିନ ଭଗତ ସିଂହଙ୍କୁ ଆତଙ୍କବାଦୀ କହିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏ କଥା ସେମାନେ ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍‌ସେଲର୍‌ ପ୍ରଫେସର ମନୋଜ କୁମାର ଧରଙ୍କ ନିକଟରେ ମଧ୍ୟ ସେମାନେ ମାମଲା ଉତ୍ଥାପନ କରିଛନ୍ତି।

ଅଭିଯୋଗ ଫାଇଲ୍‌ କରାଯାଇଛି ବୋଲି ଜମ୍ମୁ ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍‌ସେଲର୍‌ କହିଛନ୍ତି। ମାମଲାର ତଦନ୍ତ କରାଇବାକୁ ଏକ ଛଅଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠିତ ହୋଇଛି। ତଦନ୍ତ ଶେଷ ହେବା ଯାଏଁ ସମ୍ପୃକ୍ତ ପ୍ରଧ୍ୟାପକଙ୍କୁ ଅଧ୍ୟାପନାରୁ ଅନ୍ତର କରାଯାଇଛି।

ଭାଇସ୍‌ ଚାନ୍‌ସେଲର୍‌ କହିଛନ୍ତି: ଗତ ଗୁରୁବାର ରାତିରେ କେତେକ ଛାତ୍ରଛାତ୍ରୀ ମୋ ନିକଟକୁ ଆସି ଘଟନା ବିଷୟରେ କହିଛନ୍ତି। ପ୍ରମାଣ ସ୍ୱରୂପ ସେମାନେ ଗୋଟାଏ ସିଡି ମଧ୍ୟ ଦାଖଲ କରିଛନ୍ତି। ମୁଁ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରିଛି। କମିଟି ତଦନ୍ତ କରି ରିପୋର୍ଟ ଦାଖଲ କରିବା ଯାଏଁ ତାଙ୍କୁ ଅଧ୍ୟାପନାରୁ ଅନ୍ତର କାରାଯାଇଛି।

ରିପୋର୍ଟ ମିଳିଲେ ଅନ୍ୟକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଭିଯୁକ୍ତ ପ୍ରଫେସର୍‌ ଦାବି କରିଛନ୍ତି ଯେ ତାଙ୍କର ୨ ଘଣ୍ଟିଆ ଭାଷଣରୁ ୨୫ ସେକେଣ୍ଡ୍‌ର କ୍ଲିପ୍‌ କଢ଼ା ଯାଇ ମନ୍ତବ୍ୟକୁ ପ୍ରସଙ୍ଗରୁ ବାହାରକୁ ଅଣାଯାଇଛି। ସେ ଭଗତ ସିଂହଙ୍କୁ ଜଣେ ବିପ୍ଳବୀ ଭାବେ ଅଭିହିତ କରନ୍ତି।

ସେ କହିଛନ୍ତି: ମୁଁ ରୁଷୀୟ ବିପ୍ଳବୀ ଲେନିନ୍‌ଙ୍କ ବିଷୟ ପଢାଉଥିଲି। ସେହି ପ୍ରସଙ୍ଗରେ ମୁଁ କହିଥିଲି ଯେ ରାଜ୍ୟ ବିରୋଧରେ ଯେ କୌଣସି ହିଂସା ଆଚରଣକୁ ରାଜ୍ୟ ‘ଆତଙ୍କବାଦ’ ବୋଲି କହେ। ମୋ ଭାଷଣରୁ ୨୫ ସେକେଣ୍ଡ୍‌ କାଢ଼ି ଅଣାଯାଇଛି, ସେଥିରେ ଆତଙ୍କବାଦୀ ଶବ୍ଦ ରହିଛି। ଯଦି ସେଥିରେ କାହାକୁ ଆଘାତ ଲାଗିଛି ସେଥି ପାଇଁ ମୁଁ ଦୁଃଖିତ।

ସମ୍ବନ୍ଧିତ ଖବର