ଭଣ୍ଡ ବାବାଙ୍କ ପାପର ଅନ୍ତ ନାହିଁ: ୩ ଆଶ୍ରମରେ ମିଳିତ ଚଢ଼ଉ, ୬୨ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ବୀରେନ୍ଦ୍ରଙ୍କ ପାପ ସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଫେରାର ରହିଥିବା ବୀରେନ୍ଦ୍ର ଓ ତାଙ୍କର କେତେକ ଘନିଷ୍ଠ ସହଯୋଗୀଙ୍କୁ ଠାବ କରିବା ପାଇଁ ପୁଲିସର ୪ଟି ସ୍ୱତନ୍ତ୍ର ଟିମ୍‌ ଅଭିଯାନ ଆରମ୍ଭ କରିଛି। ରାଜଧାନୀ ଦିଲ୍ଲୀର ଉତ୍ତମ ନଗର ସ୍ଥିତ ବାବା ବୀରେନ୍ଦ୍ରଙ୍କ ଆଧ୍ୟାତ୍ମିକ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ପୁଲିସ୍‌, ସିଡବ୍ଲ୍ୟୁସି ଓ ଡିସିଡବ୍ଲ୍ୟୁର ମିଳିତ ଚଢଉ ବେଳେ ୫ଜଣ ନାବାଳିକାଙ୍କ ସମେତ ଆହୁରି ୨୧ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଫରୁଖାବାଦ ଏବଂ କମ୍ପିଲ ଆଶ୍ରମରୁ ୪୧ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଅଧିକାଂଶ ଯୁବତୀ ଲଗାତାର ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବେଳେ ଅନେକଙ୍କୁ ଯୌନକର୍ମୀ ଭାବେ ତାଲିମ ପ୍ରଦାନ କରାଯାଉଥିଲା। ସମଗ୍ର ବ୍ୟବସ୍ଥା କେବଳ ସେକ୍ସ ର‍୍ୟାକେଟ ଚଳାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ନାବାଳିକା ଓ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେମାନଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବାବା ବୀରେନ୍ଦ୍ର ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ଏହି ମହିଳାଙ୍କୁ ଲଗାତାର ଭାବେ କେତେକ ନିଷିଦ୍ଧ ଔଷଧ ଏବଂ ଗର୍ଭ ନିରୋଧକ ବଟିକା ଖୁଆଉଥିବାରୁ ଏହାର କୁପ୍ରଭାବରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ଜାଣିବାକୁ ପୁଲିସ୍‌ ଉଦ୍ୟମ ଚଳାଇଛି। ଅନେକ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌୍‌ବେଗଜନକ ଥିବାରୁ ସେମାନେ ପୁଲିସ୍‌ ସମ୍ମୁଖରେ କିଛି କହିପାରିନାହାନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଆଶ୍ରମ ପରିସରରୁ ପ୍ରାୟ ସବୁବେଳେ ଯୁବତୀମାନଙ୍କ କ୍ରନ୍ଦନ ଶୁଣାଯାଉଥିଲା । ପୁଲିସ୍‌ର କହିବାନୁଯାୟୀ ଉତ୍ତମବିହାର ସ୍ଥିତ ଆଶ୍ରମକୁ ବାବା ବୀରେନ୍ଦ୍ର ଆଶ୍ରମର ମେଡିକାଲ ସେଣ୍ଟର ଭାବେ ବ୍ୟବହାର କରୁଥିଲେ। ଏଠାକୁ ବିଜୟ ବିହାର ସମେତ ଅନ୍ୟ ଆଶ୍ରମଗୁଡ଼ିକରୁ ମହିଳା ଓ ଅନ୍ତେବାସୀଙ୍କୁ ଚିକିତ୍ସା ପାଇଁ ଅଣାଯାଉଥିଲା। ଚଢ଼ଉ ସମୟରେ ଆଶ୍ରମ ପରିସରରୁ ବିପୁଳ ମାତ୍ରାରେ ଔଷଧ, କଣ୍ଡୋମ୍‌, ଗର୍ଭ ନିରୋଧକ ବଟିକା, ଅଶ୍ଳୀଳ ପୁସ୍ତକ ଆଦି ଜବତ କରାଯାଇଛି। ପ୍ରାଥମିକଭାବେ ପୁଲିସ୍‌ ଏହି ଆଶ୍ରମକୁ ସିଲ କରି ସୁରକ୍ଷା ବଳୟ ବୃଦ୍ଧି କରିଥିବା ଜଣାପଡ଼ିଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବାବା ବୀରେନ୍ଦ୍ରଙ୍କ ସମସ୍ତ ଆଶ୍ରମରେ ପୋଲିସ୍‌ ଏବେ ଚଢଉ ଜାରି ରଖିଥିବା ବେଳେ ଅନେକ ଆଶ୍ରମରେ ଏବେ ତାଲା ଝୁଲୁଥିବା ଜଣାପଡ଼ିଛି। ତେବେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ବାବା ବୀରେନ୍ଦ୍ରଙ୍କୁ ଆତ୍ମସମର୍ପଣ ପାଇଁ କୋର୍ଟ ଚେତାବନୀ ଦେବା ସତ୍ୱେ ସେ ଫେରାର୍‌ ରହିଛି। ଆସନ୍ତା ୪ ତାରିଖ ଦିନ କୋର୍ଟରେ ହାଜର ହେବା ପାଇର୍ ବୀରେନ୍ଦ୍ରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଶ୍ରମର ସଂଚାଳନ ଦାୟୀତ୍ୱ ଗୁରୁମୂର୍ତ୍ତୀ ନାରାୟଣଙ୍କ ହାତରେ ନ୍ୟସ୍ତ ଥିଲା। ଆଶ୍ରମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଗୁରୁମୂର୍ତ୍ତୀ ଓ ତାଙ୍କର ପରିବାର ରହୁଥିବା ବେଳେ ତୃତୀୟ ମହଲା ସେମାନେ ବାବା ବୀରେନ୍ଦ୍ରଙ୍କୁ ଦାନ କରିଦେଇଥିବା ସ୍ୱୀକାର କରିଛନ୍ତି। ଗରୁମୂର୍ତ୍ତୀଙ୍କ କହିବାନୁସାରେ ୨୦୧୦ ମସିହାରେ ସେ ଏହି ମହଲାକୁ ଆଶ୍ରମ ନିମନ୍ତେ ଦାନ କରିଥଲେ ।

ୟୁପି ଓ ମାଉଣ୍ଟଆବୁ ଆଶ୍ରମରେ ବି ପୁଲିସ୍‌ ଚଢାଉ
ଜୟପୁର: ନୂଆଦିଲ୍ଲୀ ସ୍ଥିତ ବାବା ବୀରେନ୍ଦ୍ରଙ୍କ ଆଧ୍ୟାତ୍ମିକ ଆଶ୍ରମର ଗୁମର ଖୋଲିବା ପରେ ରାଜସ୍ଥାନ ପୁଲିସ୍‌ ମାଉଣ୍ଟଆବୁ ସ୍ଥିତ ଏହି ଆଶ୍ରମର ଅନ୍ୟ ଏକ ଶାଖାରେ ଚଢଉ କରିଛି। ଆଶ୍ରମରେ କୌଣସି ବ୍ୟକ୍ତି ନଥିବା ବେଳେ ଏଠାରେ ତାଲା ଝୁଲୁଥିବା ଜଣାପଡ଼ିଛି। ତେବେ ଚଢଉ ବେଳେ ଆଶ୍ରମ ପରିସରରୁ ଅନେକ ଆପତ୍ତିଜନକ ଜିନିଷ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏଠାରେ ମଧ୍ୟ ବାବା ବୀରେନ୍ଦ୍ର ଆଧ୍ୟତ୍ମିକ ଶିକ୍ଷା ନାମରେ ଯୁବତୀ ଓ କିଶୋରୀଙ୍କୁ ଯୌନଶୋଷଣ କରୁଥିବା ଜଣାପଡ଼ିଛି। ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କ ନାବାଳିକା ଝିଅକୁ ନେଇ ବାବାଙ୍କ ଆଶ୍ରମକୁ ଆସିଥିବା ବେଳେ ହଠାତ୍‌ ତାଙ୍କ ଝିଅ କୁଆଡେ ଗାଏବ୍‌ ହୋଇଯାଇଥିଲା। ତେଣୁ ଉକ୍ତ ନାବାଳିକାଙ୍କ ପିତା ପୁଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍‌ ଏହି ଆଶ୍ରମକୁ ମଧ୍ୟ ସିଲ୍‌ କରିଦେଇଥିବା ଜଣାପଡ଼ିଛି।

ବୀରେନ୍ଦ୍ରଙ୍କ ବିଳାସପୂର୍ଣ୍ଣ ଜୀବନ
ଜୟପୁର:ଆଧ୍ୟାତ୍ମିକ ଶିକ୍ଷା ପ୍ରଦ ।ନ ଆଳରେ ନିଜର ଯୌନକ୍ଷୁଧା ମେଣ୍ଟାଉଥିବା ବାବା ବୀରେନ୍ଦ୍ର ଅତି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ମହଙ୍ଗା ବିଦେଶୀ କାର୍‌ ଚଢ଼ିବା ଓ ବିଦେଶୀ ମଦ ପିଇବା ବାବାଙ୍କ ସଉକ ଥିଲା। ଆଶ୍ରମ ପରିସରରୁ ୯ଟି ମର୍ସିଡିଜ ଏବଂ ଅଡି କାର୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ବାବା ସର୍ବଦା ରାତି ୧୨ଟା ପରେ ଆଶ୍ରମ ପରିସରକୁ ଆସୁଥିଲେ। ଭୋଗ ଦେବାକୁ କହି ଯୁବତୀ ଓ ନାବାଳିକାଙ୍କୁ ନିଜ ପାଖକୁ ଡାକି ନିଜର ଯୌନକ୍ଷୁଧା ମେଣ୍ଟାଉଥିଲେ। କିଛି ମାସ ପୂର୍ବେ ଗିରଫ ହୋଇଥିବା ଭଣ୍ଡବାବା ରାମରହିମ୍‌ର କାରନାମାଠାରୁ ବାବା ବୀରେନ୍ଦ୍ରଙ୍କ କାରନାମା ଅଧିକ ଭୟଙ୍କର ବୋଲି ଲୋକେ ପ୍ରକାଶ କରିଛନ୍ତି।

ବାବା ଫରୁଖାବାଦୀରୁ ବାବା ବୀରେନ୍ଦ୍ର
ଆତ୍ମଘୋଷିତ ବାବା ବୀରେନ୍ଦ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି। ବଳାତ୍କାର, ଅପହରଣ ଆଦି ମାମଲାର ଲମ୍ବା ତାଲିକା ବାବାଙ୍କ ନାମରେ ରହିଥିବା ଜଣାପଡ଼ିଛି। କିିନ୍ତୁ ଏତେ ସବୁ ମାମଲା ଥାଇ କିଭଳି ଭାବେ ବାବା ବୀରେନ୍ଦ୍ର ଆଇନ୍‌ ଆଖିରେ ଧୂଳିଦେଇ ନିଜର ପାପ ସାମ୍ରାଜ୍ୟକୁ ଚଳାଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୟୁପିର ଫରୁଖାବାଦରେ ଜନ୍ମିତ ବୀରେନ୍ଦ୍ର ଦୀକ୍ଷିତ ୧୯୬୯ରେ ପିଏଚ୍‌ଡି କରିବା ପାଇଁ ଆହ୍ଲାବାଦ ଆସିଥିଲେ। ସେଠାରେ ଥିବା ବାବା ଲେଖରାଜ କୃପାଳୀନୀଙ୍କ ଦେହାନ୍ତ ପରେ ତାଙ୍କ ଆତ୍ମା ନିଜ ଶରୀରରେ ପଶି ଯାଇଥିବା କହି ନିଜକୁ ଭଗବାନ ବୋଲି ଘୋଷଣା କରିଥିଲେ। ୧୯୭୩ରୁ ୭୭ ମସିହା ମଧ୍ୟରେ ଦିଲ୍ଲୀରେ ରହୁଥିବା କମଳା ଦେବୀଙ୍କ ଘରେ ଯାଇ ବୀରେନ୍ଦ୍ର ରହୁଥିଲେ। ସେଠାରେ କମଳାଦେବୀଙ୍କୁ ମୋକ୍ଷ ପ୍ରାପ୍ତ କରାଇଦେବାର ଲୋଭ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ । ପରବର୍ତ୍ତୀ ସମୟରେ ନିଜକୁ କୃଷ୍ଣଙ୍କ ଅବତାର କହି ୧୬ହଜାର ଗୋପନାରୀ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଅନୁଗାମୀମାନଙ୍କୁ ନିଯୁକ୍ତ କରିଥିଲେ। ଆଧ୍ୟାତ୍ମ ଶିକ୍ଷା ପ୍ରଦାନ ବାହାନରେ ସେ ନାବାଳିକା ଓ ତରୁଣୀଙ୍କୁ ବଳାତ୍କାର କରି ଯୌନ କ୍ଷୁଧା ମେଣ୍ଟାଇବାରେ ଲାଗିଥିଲେ। ୧୯୯୫ ମସିହାରେ ଜଣେ ଏହାର ବିରୋଧ କରିବାରୁ ତାଙ୍କୁ ସେ ହତ୍ୟା କରିଥିବା କୁହାଯାଉଛି । ୧୯୯୮ ମସିହାରେ ଏକ ବଳାତ୍କାର ମାମଲାରେ ୬ ମାସ ଜେଲ ଦଣ୍ଡ ଭୋଗିବା ପରେ ମଧ୍ୟ ସେ ଚେତି ନଥିଲେ। ସେହି ବର୍ଷ କୋଲକାତା ଆଶ୍ରମରେ ଆୟକର ବିଭାଗ ଚଢଉରେ ୫କୋଟି ନଗଦ ଟଙ୍କା ଜବତ ହେବା ଚର୍ଚ୍ଚାର ବିଷୟ ହୋଇଥିଲା।

ବୀରେନ୍ଦ୍ରର ପତ୍ନୀଙ୍କ ସଂଖ୍ୟା ୫
ନିଜକୁ ଶ୍ରୀକୃଷ୍ଣଙ୍କ ଅବତାର ବୋଲାଉଥିବା ଭଣ୍ଡବାବା ବୀରେନ୍ଦ୍ର ସବୁବେଳେ ମହିଳାଙ୍କ ଉପରେ ଖରାପ ନଜର ରଖୁଥିଲେ। ଶ୍ରୀକୃଷ୍ଣଙ୍କ ପରି ନିଜର ଅଷ୍ଟ ପାଟରାଣୀ କରିବାକୁ ସେ ସର୍ବଦା ତାଙ୍କ ଅନୁଗାମୀଙ୍କୁ କହୁଥିଲେ। ବିଭିନ୍ନ ସ୍ଥାନରେ ମହିଳାଙ୍କୁ ବଳାତ୍କାର କରିବା ପରେ ସେମାନଙ୍କୁ ନିଜର ପାଟରାଣୀ ଆଖ୍ୟା ଦେଉଥିଲେ। ଏଭଳି ପ୍ରକ୍ରିୟାରେ ଏବେ ତାଙ୍କର ୫ ପତ୍ନୀ ଅଛନ୍ତି। ସେମାନଙ୍କୁ ବୀରେନ୍ଦ୍ର ସୀତା ମାତା, ପୁଷ୍ପା ମାତା, ସନ୍ତୋଷୀ ମାତା, ସୋମ ମାତା ଓ ଶାନ୍ତି ମାତା ନାମରେ ଅଭିହିତ କରିଛନ୍ତି।

ସମ୍ବନ୍ଧିତ ଖବର