ଭାରତର ଏକ ତୃତୀୟାଂଶ ଲୋକ ରେଡ୍ ଜୋନ୍ରେ ରହୁଛନ୍ତି
ନୂଆଦିଲ୍ଲୀ: କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ ଅଧିକ ସଂକ୍ରମଣ ଥିବା ସ୍ଥାନ ଗୁଡ଼ିକୁ ହଟ୍ସ୍ପଟ୍ ଘୋଷଣା କରାଯାଉଛି। ଏହି ହଟ୍ସ୍ପଟ୍ ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଉଛି। ଭାରତରେ ୧୭୦ଟି ଜିଲ୍ଲାକୁ କରୋନାର ହଟ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ଭାରତୀୟ ଜନସଂଖ୍ୟାର ପ୍ରାୟ ୩୭ ପ୍ରତିଶତ ଏଠାରେ ବସବାସ କରନ୍ତି। ଏଠାରେ ସଂକ୍ରମଣର ମାତ୍ରା ସର୍ବାଧିକ ରହୁଥିବାରୁ ଏହାକୁ ରେଡ୍ଜୋନ୍ କୁହାଯାଉଛି। ତାମିଲନାଡ଼ୁରେ ରେଡ୍ ଜୋନ୍ ସଂଖ୍ୟା ସବୁଠୁ ଅଧିକ ରହିଛି। ତାମିଲନାଡ଼ୁର ୩୭ଟି ଜିଲ୍ଲାରୁ ସର୍ବାଧିକ ୨୨ଟି ଜିଲ୍ଲାକୁ ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବୁଧବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୨୦ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଞ୍ଚଳର ୧୭୦ଟି ଜିଲ୍ଲାକୁ ହଟ୍ସ୍ପଟ୍ ଘୋଷଣା କରିଥିଲେ। ଏଠାରେ ସଂକ୍ରମଣର ମାତ୍ରା ଅଧିକ ରହିଥିବାରୁ ଏହାକୁ ରେଡ୍ ଜୋନ୍ ଘୋଷଣା କରାଯାଇଥିଲା। ତେବେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହଟ୍ସ୍ପଟ୍ ଜିଲ୍ଲା ନଥିବା କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ୨୦୧୧ ଜନଗଣନା ତଥ୍ୟ ଆଧାରରେ ଆକଳନ କରି ଏହା ଜଣାପଡ଼ିଛି ଯେ, ଭାରତରେ ୭୩୦ଟି ଜିଲ୍ଲାର ୨୩ ପ୍ରତିଶତ ହେଉଛି ହଟ୍ସ୍ପଟ୍ ଅଞ୍ଚଳ। ଦେଶର ଭୌଗୋଳିକ କ୍ଷେତ୍ରର ୨୯ ପ୍ରତିଶତ ପର୍ଯ୍ୟନ୍ତ ଏହା ବ୍ୟାପିଛି। ଅନ୍ୟପକ୍ଷେ ସରକାରୀ ତଥ୍ୟ ଆଧାରରେ ଭାରତରେ ୧୨୧ କୋଟି ନାଗରିକଙ୍କ ମଧ୍ୟରୁ ପ୍ରାୟ ୪୫୩ ନିୟୁତ ଲୋକ ହଟ୍ସ୍ପଟ୍ରେ ରହୁଛନ୍ତି। ଦିଲ୍ଲୀର ୧୧ଜିଲ୍ଲାରୁ ୧୦ଟି ଏବଂ ମହାରାଷ୍ଟ୍ରର ୩୬ଟି ଜିଲ୍ଲାରୁ ୧୪ଟି ହଟ୍ସ୍ପଟ୍ ଅଞ୍ଚଳ। ଦିଲ୍ଲୀରେ ସମୁଦାୟ ଜନସଂଖ୍ୟାର ୮୭ ପ୍ରତିଶତ ହଟ୍ସ୍ପଟ୍ ଜିଲ୍ଲାରେ ରହୁଥିବା ବେଳେ ମହାରାଷ୍ଟ୍ରରେ ସମୁଦାୟ ଜନସଂଖ୍ୟାରୁ ୬୦ ପ୍ରତିଶତ ହଟ୍ସ୍ପଟ୍ ଜିଲ୍ଲାରେ ରହୁଛନ୍ତି। ମୁମ୍ବାଇ, ମୁମ୍ବାଇ ଉପନଗରୀ ଏବଂ ଥାନେ ଜିଲ୍ଲାରେ ଅଧିକାଂଶ ଅଞ୍ଚଳ ହଟ୍ସ୍ପଟ୍ ଘୋଷିତ ହୋଇଛି। ଏହି ୩ଟି ଜିଲ୍ଲାରେ ପ୍ରାୟ ୨୦ ନିୟୁତ ଲୋକ ରହୁଛନ୍ତି। ଆନ୍ଧ୍ରପ୍ରଦେଶରେ ପ୍ରାୟ ୯୦ ପ୍ରତିଶତ ଲୋକ ହଟ୍ସ୍ପଟ୍ ଅଞ୍ଚଳରେ ରହୁଛନ୍ତି। ମୋଟ୍ ଉପରେ ୧୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାଂଶ ଲୋକ ହଟ୍ସ୍ପଟ୍ ଜିଲ୍ଲାରେ ରହୁଛନ୍ତି। ଏଗୁଡ଼ିକ ହେଉଛି ଚଣ୍ଡିଗଡ଼ (୧୦୦ ପ୍ରତିଶତ) ଆନ୍ଧ୍ରପ୍ରଦେଶ (୯୦), ଦିଲ୍ଲୀ, (୮୭), ତାମିଲନାଡ଼ୁ (୮୦), ତେଲେଙ୍ଗାନା (୬୬), ଆଣ୍ଡାମାନ୍ ଏବଂ ନିକୋବର (୬୩), ମହାରାଷ୍ଟ୍ର (୬୦), ହିମାଚଳ ପ୍ରଦେଶ (୫୩), ଜମ୍ମୁ କାଶ୍ମୀର (୫୩) ଏବଂ ଲଦାଖରେ ୫୧ ପ୍ରତିଶତ ଲୋକ ହଟ୍ସ୍ପଟ୍ ଜିଲ୍ଲାରେ ରହୁଛନ୍ତି। ଅନ୍ୟପକ୍ଷେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ ଏବଂ ମଧ୍ୟପ୍ରଦେଶରେ ୨୦ ପ୍ରତିଶତ ଲୋକ ହଟ୍ସ୍ପଟ୍ ଜିଲ୍ଲାରେ ରହୁଛନ୍ତି। ଅନ୍ୟପକ୍ଷେ ୮ଟି ରାଜ୍ୟରେ ହଟ୍ସ୍ପଟ୍ ଜିଲ୍ଲା ଆଦୌ ନାହିଁ।