ଭାରତର ବିକାଶରେ ଜାପାନର ବଡ଼ ଅବଦାନ ରହିଛି : ମୋଦୀ

ଟୋକିଓ : ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଭାରତ ଓ ଜାପାନ ପ୍ରାକୃତିକ ସହଯୋଗୀ, ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଟୋକିଓଠାରେ ଚାଲିଥିବା କ୍ବାଡ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେଠାକୁ ଯାଇଥିବାବେଳେ ମୋଦୀ ଆଜି ଭାରତୀୟ ସଂପ୍ରଦାୟକୁ ଭେଟିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଂପ୍ରଦାୟ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ କରୁଛନ୍ତି । ସେମାନେ ଜାପାନରେ ଭାରତକୁ ନେଇଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍ବାମୀ ବିବେକାନନ୍ଦଙ୍କ ଉପରେ ଜାପାନର ଗଭୀର ପ୍ରଭାବ ପଡ଼ିଥିଲା । ଅନ୍ୟପକ୍ଷରେ ଆଜିର ବିଶ୍ବ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ପ୍ରଦର୍ଶୀତ ମାର୍ଗର ଅନୁସରଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଭାରତ ନିଜର ପ୍ରତି ନାଗରିକର ଅଧିକାରର ସୁରକ୍ଷା କରୁଛି । ଭାରତର ଗଣତନ୍ତ୍ର ଆହୁରି ସୁଦୃଢ ହେଉଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଟୋକିଓଠାରେ ଚାଲିଥିବା କ୍ବାଡ୍ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେବେ ।

 

ସମ୍ବନ୍ଧିତ ଖବର