ଭାରତର ଯେସାକୁ ତେସା ନୀତି : ଦିଲ୍ଲୀରେ ଥିବା ବ୍ରିଟିସ୍ ଦୂତାବାସ ଆଗରୁ ହଟିଲା ବ୍ୟାରିକେଡ୍ସ

ନୂଆଦିଲ୍ଲୀ : ଦିଲ୍ଲୀର ୨, ରାଜାଜୀ ମାର୍ଗରେ ଥିବା ୟୁକେ ହାଇକମିସନ ବାହାରେ ଲଗାଯାଇଥିବା ବ୍ୟାରିକେଡ୍ସ କୁ ବୁଧବାର ହଟାଇ ଦିଆଯାଇଛି । ଏପରିକି ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିକ୍ସଙ୍କ ବାସଭବନ ଆଗରୁ ବି ବ୍ୟାରିକେଡ୍ଟ ହଟାଯାଇଛି । ଏହା ପଛର କାରଣ କ’ଣ, ଏ ନେଇ ସରକାରୀ ସୂତ୍ରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । କିନ୍ତୁ ଲଣ୍ଡନରେ ଥିବା ଭାରତୀୟ ହାଇକମିସନରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ସହ ମଧ୍ୟ ଏହାକୁ ଯୋଡ଼ାଯାଉଛି । ଭାରତ ଯେସାକୁ ତେସା ନୀତି ଗ୍ରହଣ କରୁଥିବା କୁହାଯାଉଛି ।

ଗତ ରବିବାର ଖଲିସ୍ତାନ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିସନ ପରିସରରେ ପ୍ରବେଶ କରି ଭାରତର ଜାତୀୟ ପତାକାକୁ ଓହ୍ଲାଇ ଦେଇ ଖଲିସ୍ତାନ ପତାକା ଲଗାଇଥିଲେ । ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଓ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା। ଏଥିସହ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଦରକାର ବୋଲି କହିଥିଲା । ଏହା ପରେ ବ୍ରିଟିସ ପୁଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହା ସହିତ ବ୍ରିଟିସ ସରକାର ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଅତ୍ୟନ୍ତ ଅପମାନଜନକ ଏବଂ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଲଣ୍ଡନ ମେୟର ସାଦିକ ଖାନ୍ ଟ୍ୱିଟ୍ କରି ଏହାକୁ ନିନ୍ଦା କରିଥିଲେ ।  ଘଟଣାର ତଦନ୍ତ ଚାଲିଛି। ଲଣ୍ଡନ ମେଟ୍ରୋପଲିଟାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର